ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ କୋର୍ଟ ପରିସରରେ ଆନ୍ଦୋଳନ ଓ ଭଙ୍ଗାରୁଜା ଅଭିଯୋଗରେ ଗିରଫ ‌ହୋଇଥିବା ଓକିଲମାନଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଓ ବିଚାରପତି ଜଷ୍ଟିସ ଏ.ଏସ୍‌ ଓକାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

Advertisment

ଶୁଣାଣି ବେଳେ ପଶ୍ଚିମ ଓଡ଼ିଶା ଅଲ୍‌ ବାର୍‌ ଆସୋସିଏସନ୍‌ର ସେଣ୍ଟ୍ରାଲ୍‌ ଆକସନ୍‌ କମିଟି (ସିଏସି) ଓକିଲ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ୪ ମହିଳାଙ୍କ ସମେତ ୩୦ ଓକିଲ ୪୫ ଦିନ ହେଲା ଜେଲ୍‌ରେ ଅଛନ୍ତି। ଗିରଫ ‌ହୋଇଥିବା ଓକିଲମାନଙ୍କୁ ଜାମିନରେ ଖଲାସ କରିବା ପାଇଁ ଜିଲ୍ଲା ଅଦାଲତ ମନା କରିଦେଇଛନ୍ତି। ସେମାନଙ୍କ ଜାମିନ ଆବେଦନ ଏବେ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟ ମାମଲାର ଶୁଣାଣିକୁ ଅନେକଥର ଘୁଞ୍ଚାଇ ଦେଲେଣି ସିଏସି ଓକିଲ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଶୁଣାଣି କରି ଖଣ୍ଡପୀଠ କହିଲେ ଯେ ଆମେ ଜାମିନ କୋର୍ଟ ନୋହୁଁ। ଏଥି ପାଇଁ ହାଇକୋର୍ଟରେ ଆବେଦନ କରିବାକୁ ଖଣ୍ଡପୀଠ କହିଥିଲେ।

ମାମଲାରୁ ପ୍ରକାଶ ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ଦାବି କରି ଆଇନଜୀବୀମାନଙ୍କ ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ଆନ୍ଦୋଳନରତ ଆଇନଜୀବୀଙ୍କ ବି‌ରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ଓ ଓଡ଼ିଶା ପୋଲିସକୁ ଆଦେଶ ଦେଇଥିଲେ। ଯଦି ଓଡ଼ିଶା ପୋଲିସ ଆନ୍ଦୋଳନକାରୀ ଓକିଲମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୁଏ, ତେବେ ଅର୍ଦ୍ଧ ସାମରୀକ ବାହିନୀ ପଠାଇବୁ ବୋଲି ସୁପ୍ରିମକୋର୍ଟ ମଧ୍ୟ ଚେତାବନୀ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଆଇନଜୀବୀମାନଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହିତ ଗିରଫ କରାଯାଇଥିଲା। ଏହା ପରେ ସୁପ୍ରିମକୋର୍ଟ ଆନ୍ଦୋଳନରତ ୧୯୧ ଜଣ ଆଇନଜୀବୀଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ। ଓକିଲମାନଙ୍କୁ ବ୍ୟକ୍ତିଗତ ଭାବେ କିମ୍ବା ଆଡଭୋକେଟ୍‌ ଅନ୍‌ ରେକର୍ଡଙ୍କ ଜରିଆରେ ଫେବ୍ରୁଆରି ୬ରେ କୋର୍ଟରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି।