ନୂଆଦିଲ୍ଲୀ: ଦିଲ୍ଲୀରେ ଗ୍ରୁପ୍-ଏ ସରକାରୀ ଚାକିରି ଉପରେ ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶକୁ ବିରୋଧ କରି ଦିଲ୍ଲୀ ସରକାର କରିଥିବା ଆବେଦନ ଉପରେ ଆଜି ସୁପ୍ରିମ୍କୋର୍ଟ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି। କିନ୍ତୁ ଅଧ୍ୟାଦେଶ ଉପରେ ରୋକ୍ ଲାଗାଇବାକୁ ମନା କରିଦେଇଛନ୍ତି। ଜୁଲାଇ ୧୭ରେ ଏହି ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ହେବ। ଏଥି ସହ ଉପରାଜ୍ୟପାଳ ଭିକେ ସାକ୍ସେନା ଦିଲ୍ଲୀ ସରକାରଙ୍କ ଦ୍ବାରା ନିଯୁକ୍ତ ୪୦୦ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ବିରୋଧରେ ଆପ୍ ସରକାର କରିଥିବା ଆବେଦନ ଉପରେ ମଧ୍ୟ ଶୁଣାଣି ହେବ।
ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ବିଚାରପତି ପିଏସ୍ ନରସିଂହଙ୍କ ଖଣ୍ଡପୀଠ ଅଧ୍ୟାଦେଶ ବାବଦରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କେନ୍ଦ୍ରକୁ ନୋଟିସ୍ ଜାରି କରିବା ସହ ଆପ୍ ସରକାର ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭିଙ୍କୁ ଆବେଦନକୁ ବଦଳାଇ ସେଥିରେ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ମଧ୍ୟ ଏକ ପକ୍ଷ କରିବା ପାଇଁ କହିଥିଲେ। ଆବେଦନରେ ଆପ୍ ସରକାର ଦର୍ଶାଇଥିଲେ ଯେ ଗ୍ରୁପ୍-ଏ ଚାକିରି କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି ସର୍ବୋଚ୍ଚ ଅଦାଲତଙ୍କ ରାୟ ସତ୍ତ୍ବେ କେନ୍ଦ୍ର ସରକାର ଏପରି ଅଧ୍ୟାଦେଶ ଜାରି କରିବା ଅସାମ୍ବିଧାନିକ। ଏହା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ପାଇଁ ଆବେଦନରେ ଅନୁରୋଧ କରାଯାଇଥିଲା। କିନ୍ତୁ ରହିତାଦେଶ ଦେବାକୁ କୋର୍ଟ ମନା କରିଦେଇଥିଲେ।