ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଆଇଆଇଟି ବମ୍ବେ ଉପରକୁ ପ୍ରବଳ ବର୍ଷିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ 'ସ୍ମଗ୍‌ ଟାୱାର୍‌' ବସାଇବାପାଇଁ ସରକାରୀ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ସରକାରୀ ପ୍ରକଳ୍ପ କାର୍ଯ୍ୟରେ ଆଇଆଇଟି ବମ୍ବେ ସାମିଲ୍‌ ଥିଲା। ଆଇଆଇଟି ବମ୍ବେ ଗତ ଜାନୁଆରିରେ ସାଇଟ୍‌ ମଧ୍ୟ ପରିଦର୍ଶନ କରିଥିଲା। କିନ୍ତୁ ଦୀର୍ଘ ୬ ମାସ ପରେ ଆଇଆଇଟି ବମ୍ବେ ଏହି ପ୍ରକଳ୍ପ କାର୍ଯ୍ୟରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଥିବାରୁ ସୁପ୍ରିମକୋର୍ଟ ଆଜି ଏହାକୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ଆଇଆଇଟି ବମ୍ବେ ଏଭଳି କାର୍ଯ୍ୟରୁ ବିରତ ନହୁଏ ‌ତେବେ ଏହା ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଅଣାଯିବ ଏବଂ କଡ଼ା ଦଣ୍ଡ ଦିଆଯିବ ବୋଲି କୁହାଯାଇଛି।

Advertisment

ଏଭଳି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁ‌ହେଁ। କୋର୍ଟ‌୍ ନିର୍ଦ୍ଦେଶ ପାଳନ କରିବାରେ ବିଳମ୍ବ କରିଥିବାରୁ ଆଇଆଇଟି ବମ୍ବେ ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଦଣ୍ଡିତ କରାଯିବ ବୋଲି କୋର୍ଟ କହିଛନ୍ତି। ୬ ମାସ ପରେ ସେମାନେ ଏକ ସରକାରୀ ପ୍ରକଳ୍ପରୁ କିଭଳି ଓହରି ଯାଇପାରିବେ। ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଅଣାଯିବ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତବର୍ଷ ଡିସେମ୍ବରରେ ସୁପ୍ରିମକୋର୍ଟ ଦିଲ୍ଲୀରେ ଏକ ସ୍ମଗ୍‌ ଟାୱାର ବସାଇବାପାଇଁ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ୩ ମାସ ସମୟ ଦେଇଥିଲେ।