ରାସ୍ତା ଅବରୋଧ କରିପାରିବ ନାହିଁ; କୃଷକ ସଂଘଠାରୁ ଡିସେମ୍ବର ୭ ସୁଦ୍ଧା ଉତ୍ତର ଚାହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମ୍‌କୋର୍ଟରେ କୃଷକ ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି ଥିଲା। କୃଷକମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଥିବାରୁ ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଅନେକ ମାମଲା ଦାଏର ହୋଇଥିବା ବେଳେ ଲୋକଙ୍କ ଅଧିକାରକୁ କ୍ଷୁଣ୍ଣ କରି ଅନିର୍ଦ୍ଦିଷ୍ଟ କାଳ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ କୋର୍ଟ କହିଛନ୍ତି। ଏହା ଉପରେ ଚାଷୀ ସଂଗଠନମାନେ ନିଜର ଉତ୍ତର ଡିସେମ୍ବର ୭ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଦିନ ରଖିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଆଜି ଶୁଣାଣି ସମୟରେ ଉପସ୍ଥିତ ହେବା ପାଇଁ ୪୩ଟି କୃଷକ ସଂଘକୁ ନୋଟିସ୍ କରାଯାଇଥିବା ବେଳେ ଭାରତୀୟ କିଷାନ ୟୁନିୟନ ସମେତ ମାତ୍ର ୪ଟି ସଂଘର ପ୍ରତିନିଧି ଉପସ୍ଥିତ ଥିଲେ। କୋର୍ଟ ସଲିସିଟର ଜେନେରାଲ (ଏସ୍‌ଜି) ତୁଷାର ମେହେଟାଙ୍କୁ କହିଥିଲେ- ସେମାନଙ୍କୁ (କୃଷକମାନଙ୍କୁ) କହିଦିଅନ୍ତୁ, ସେମାନଙ୍କ ସହଯୋଗ ବିନା ସମସ୍ୟାର ସମାଧାନ ସମ୍ଭବ ନୁହେଁ। ଜଷ୍ଟିସ୍ ଏସ୍‌କେ କୌଲ କହିଥିଲେ ଯେ ଆଜିର ଶୁଣାଣି କେବଳ ରାସ୍ତା ଅବରୋଧ ବିଷୟରେ।

କୃଷକ ସଂଘଗୁଡ଼ିକ ତରଫରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଦୁଷ୍ୟନ୍ତ ଡାଭେ ଡିସେମ୍ବର ୧୭, ୨୦୨୦ର ସୁପ୍ରିମ୍‌କୋର୍ଟ ଅର୍ଡର ପଢ଼ି ଶୁଣାଇଥିଲେ, ଯେଉଁଥିରେ ପୂର୍ବତନ ପ୍ରଧାନବିଚାରପତି ଏସ୍‌ଏ ବୋବଡେଙ୍କ ନେତୃତ୍ବାଧୀନ ବେଞ୍ଚ କହିଥିଲେ: ‘ପ୍ରତିବାଦ କରିବା ଅଧିକାର ସମସ୍ତଙ୍କର ଅଛି। ଆମେ ପ୍ରତିବାଦକାରୀଙ୍କୁ ହଟିଯିବାକୁ ଆଦେଶ ଦେଇପାରିବୁ ନାହିଁ।’’ ଡାଭେଙ୍କ ଯୁକ୍ତିର ଉତ୍ତର ଦେଇ କୋର୍ଟ କହିଥିଲେ, ଆମେ ସେ ଆଡ଼କୁ ଯାଉନାହୁଁ। ଏସ୍‌ଜି ମେହେଟା କହିଥିଲେ, ସେତେବେଳେ ରାସ୍ତା ଉପରେ କିଛି ନ ଥିଲା। ଉକ୍ତ ପିଟିସନରେ ଆଇନକୁ ଚ୍ୟାଲେଞ୍ଜ କରାଯାଇଥିଲା।

ଜଷ୍ଟିସ୍ କୌଲ କହିଥିଲେ, ଏଠାରେ ଦୁଇଟି ଅଧିକାର ଭିତରେ ସଂଘର୍ଷ ଉପୁଜୁଛି। କୃଷକମାନଙ୍କର ପ୍ରତିବାଦ କରିବାର ଅଧିକାର ଅଛି। ଏହା ନିର୍ବିବାଦୀୟ। ସେହିପରି ଲୋକମାନଙ୍କର ରାସ୍ତାରେ ଯିବାର ବି ଅଧିକାର ଅଛି। ଏହାପରେ ଡାଭେ କହିଥିଲେ ଯେ କୃଷକମାନେ ନୁହନ୍ତି, ପୁଲିସ ରାସ୍ତା ଅବରୋଧ କରିଥିଲା। ଆମକୁ ରାମଲୀଲା ମୈଦାନକୁ ଯିବାକୁ ଅନୁମତି ଦେଇଥିଲେ କିଛି ସମସ୍ୟା ହୋଇ ନ ଥାନ୍ତା। ଆମକୁ ଅଟକାଇ ବିଜେପି ରାମଲୀଲା ମୈଦାନରେ ୫ ଲକ୍ଷ ଲୋକଙ୍କୁ ନେଇ ରୢାଲି କଲା। ଏପରି ବାଛବିଚାରମୂଳକ ଅନୁମତି କାହିଁକି? କିଛି ଲୋକଙ୍କୁ ଆସିବାକୁ ଅନୁମତି ଦେବା ପରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିଲା ବୋଲି ଏସ୍‌ଜି ମେହେଟା ଜବାବ ରଖିଥିଲେ। ଏହାପରେ ଡାଭେ କହିଥିଲେ ଯେ ଉକ୍ତ ଗୁରୁତର ସମସ୍ୟା ଜାଣିଶୁଣି ତିଆରି କରାଯାଇଥିଲା। ଲାଲକିଲ୍ଲା ଉପରେ ଚଢ଼ିଥିବା ଲୋକଙ୍କୁ ଜାମିନ ଦିଆଗଲା ଏବଂ ସେଥିରେ କିଛି ସମସ୍ୟା ହେଲା ନାହିଁ। ଏହାପରେ ଜଷ୍ଟିସ୍ କୌଲ ‘ରାସ୍ତାକୁ କୌଣସିମତେ ଅବରୋଧ କରାଯାଇପାରିବ ନାହିଁ’ ବୋଲି ଦୋହରାଇଥିଲେ। ସେ କହିଥିଲେ: ଆଇନ ସ୍ପଷ୍ଟ। ଆପଣଙ୍କର ପ୍ରତିବାଦ କରିବାର ଅଧିକାର ଅଛି କିନ୍ତୁ ରାସ୍ତା ଅବରୋଧ କରି ନୁହେଁ। ରାସ୍ତା ଅବରୋଧ କାହିଁକି ହେଲା ଓ କେମିତି ହେଲା, ତା’ର ସମାଧାନ ହେବା ଦରକାର।
ଏସ୍‌ଜି ମେହେଟା କହିଥିଲେ, କୃଷି ଆଇନକୁ ବିରୋଧ କରି ଯେତେବେଳେ କୋର୍ଟରେ ମାମଲା ପ୍ରଥମେ ରୁଜୁ ହେଲା, ସେତେବେଳେ କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରିଥିଲେ। କୃଷକ ସଂଗଠନଗୁଡ଼ିକୁ ମଧ୍ୟ ଡକାଯାଇଥିଲା। କିନ୍ତୁ ସେମାନେ କୋର୍ଟରେ ହାଜର ହେବାକୁ ମନା କରିଦେଲେ। ଏହାପରେ କୋର୍ଟ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରି ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କଲେ। ତେଣୁ ଆନ୍ଦୋଳନର ଅନ୍ୟ କିଛି କାରଣ ରହିଛି।

ଡାଭେ କହିଥିଲେ, ଆନ୍ଦୋଳନର ଅନ୍ୟ କିଛି କାରଣ ନାହିଁ। କୃଷି ଆଇନକୁ ବିରୋଧ କରି ହିଁ ଆନ୍ଦୋଳନ କରାଯାଉଛି। ଏସ୍‌ଜି କୃଷକଙ୍କ ମୁଣ୍ଡରେ ଅନ୍ୟ କିଛି ଲଦିବାକୁ ଚାହୁଁଛନ୍ତି। କୃଷି ଆଇନ କାହିଁକି ହୋଇଛି ତାହା ଆମେ ସମସ୍ତେ ଜାଣୁ। ଏହାପରେ ମେହେଟା କହିଥିଲେ, କିଛି ସଂଗଠନ କମିଟି ଆଗରେ ଉପସ୍ଥିତ ହୋଇଥିଲେ। ଏହି ସଂଘଗୁଡ଼ିକ ଆସି ନ ଥିଲେ। ଜଷ୍ଟିସ୍ କୌଲ କହିଥିଲେ ଯେ, କୋର୍ଟ ସମସ୍ତଙ୍କୁ ଆସିବାକୁ ବାଧ୍ୟ କରିପାରିବ ନାହିଁ। କମିଟିରୁ ଦୁଇ ଜଣ ଆସିଛନ୍ତି ବୋଲି ସେ କହିଥିଲେ।
ଆଜିର ଶୁଣାଣି ଅସମ୍ପୂର୍ଣ୍ଣ ରହିଥିବା ବେଳେ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭ରେ ହେବ, ଯେଉଁଥିରେ କୃଷକ ସଂଗଠନ ନିଜ ନିଜର ଉତ୍ତର ରଖିବେ।

ସମ୍ବନ୍ଧିତ ଖବର