ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ରହିତାଦେଶ ଲଗାଇଛନ୍ତି। ୨୦୦୬-୦୭ରେ ଅନେକ ଏକର ଜମି ଅଧିଗ୍ରହଣ ନୋଟିସକୁ ୟେଦୁରପ୍ପା ବାତିଲ କରିଦେଇଥିଲେ। ଏଥିପାଇଁ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ଅପରାଧିକ ଷଡ଼୍ଯନ୍ତ୍ର ଅଭିଯୋଗ ହୋଇଥିଲା। କର୍ଣ୍ଣାଟକ ହାଇକୋର୍ଟ ଉକ୍ତ ଆଦେଶକୁ ରଦ୍ଦ କରିବା ପାଇଁ ମନା କରିଦେଇଥିଲେ। ତେବେ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ୟେଦୁରପ୍ପା ସୁପ୍ରିମକୋର୍ଟ ଯାଇଥିଲେ।
ପ୍ରଧାନ ବିଚାରପତି ଏନଭି ରମଣା ନେତୃତ୍ବରେ ଗଠିତ ୩ ଜଣିଆ ଖଣ୍ଡପୀଠ ୟେଦୁରପ୍ପାଙ୍କ ଏସ୍ଏଲ୍ପି ଉପରେ କର୍ଣ୍ଣାଟକ ସରକାରଙ୍କୁ ନୋଟିସ ଦେବା ସହିତ ହାଇକୋର୍ଟ ରାୟ ଉପରେ ରହିତାଦେଶ ଲଗାଇଛନ୍ତି। ଫଳରେ ୟେଦୁରପ୍ପାକୁ ବର୍ତ୍ତମାନ ଆଶ୍ବସ୍ତି ମିଳିଛି। ଅନ୍ୟପକ୍ଷରେ ୟେଦୁରପ୍ପା ଆଜି ଆଉ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ୨୦୨୩ ବିଧାନସଭା ନିର୍ବାଚନରେ ସେ ତାଙ୍କ ଶିକରିପୁରା ଆସନରୁ ଆଉ ନିର୍ବାଚନ ଲଢ଼ିବେ ନାହିଁ। ଏହି ଆସନ ତାଙ୍କ ପୁଅ ତଥା କର୍ଣ୍ଣାଟକ ବିଜେପିର ଉପସଭାପତି ବିୱାଇ ବିଜୟେନ୍ଦ୍ରଙ୍କୁ ଛାଡ଼ିବେ। ତାଙ୍କ ଠାରୁ ଅଧିକ ଭୋଟରେ ପୁଅକୁ ବିଜୟୀ କରିବା ପାଇଁ ସେ ନିର୍ବାଚନମଣ୍ଡଳୀର ଲୋକମାନଙ୍କୁ ଏହି ପରିପ୍ରେକ୍ଷୀରେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/yeddyurappa1-621x414.jpg)