ଟୁ ଫିଙ୍ଗର ଟେଷ୍ଟକୁ ନେଇ ବିରକ୍ତ ହେଲେ ସୁପ୍ରିମକୋର୍ଟ

ପରୀକ୍ଷା କରୁଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ

ନୂଆଦିଲ୍ଲୀ : ଦୁଷ୍କର୍ମ ପୀଡ଼ିତାଙ୍କ ଠାରେ କରାଯାଉଥିବା ଟୁ ଫିଙ୍ଗର ଟେଷ୍ଟକୁ ନେଇ ସୋମବାର ଦିନ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ଏହି ପରୀକ୍ଷାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଯଦି କେହି ‌ଏହି ପରୀକ୍ଷା କରୁଥାନ୍ତି ତାଙ୍କୁ ଏଥିପାଇଁ ଦୋଷୀ ସାବ୍ୟସ୍ତ କରାଯିବ ବୋଲି କହିଛନ୍ତି।

ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ହିମା କୋହଲିଙ୍କ ଖଣ୍ଡପୀଠ କହିଛନ୍ତି, ଏହି ତଥାକଥିତ ପରୀକ୍ଷା ଭୁଲ ଅନୁମାନ ଉପରେ ପର୍ଯ୍ୟବସିତ। ସେହି ଭୁଲ ଅନୁମାନ ହେଲା ଜଣେ ଯୌନ ସକ୍ରିୟ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ପାରିବ ନାହିଁ। ତେବେ ଅଦାଲତ କହିଛନ୍ତି, ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ ତାହାର ବିଚାର ବେଳେ ସଂପୃକ୍ତ ମହିଳାଙ୍କ ଯୌନ ଇତିହାସର କୌଣସି ଅର୍ଥ ନାହିଁ। ନିକଟ ଅତୀତରେ ପୀଡ଼ିତା ଯୌନ ସଂପର୍କ ରଖିଛନ୍ତି କି ନାହିଁ ତାହା ଯାଞ୍ଚ କରିବା ଲାଗି ଏହି ପରୀକ୍ଷା କରାଯାଇଥାଏ।

ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନ ବିଚାରପତି ଜେଏସ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୧୨‌ ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ଉକ୍ତ ପରୀକ୍ଷାକୁ ନିଷିଦ୍ଧ ପାଇଁ ସୁପାରିସ କରିଥିଲେ। ଅପରାଧିକ ଆଇନ ସଂଶୋଧନ ୨୦୧୩ ଜରିଆରେ ଏହାକୁ ବେଆଇନ କରାଯାଇଥିଲା। ଏହା ଜଣେ ବ୍ୟକ୍ତିର ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଥିଲେ। ୨୦୧୮ରେ ଜାତିସଂଘ ମାନବ ଅଧିକାର କମିସନ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ମହିଳାଙ୍କ ବିରୋଧରେ ହିଂସାକୁ ଦୂର କରିବା ପାଇଁ ଟୁ ଫିଙ୍ଗର ଟେଷ୍ଟକୁ ନିଷିଦ୍ଧ କରିବା ଲାଗି କହିଥିଲେ। ଏଥିସହିତ ମେଡିକାଲ ଦୃଷ୍ଟିକୋଣରୁ ଏହା ଅନାବଶ୍ୟକ ବୋଲି କହିଥିଲେ। ବର୍ମା କମିଟି ସୁପାରିସ ଆଧାରରେ ସବୁ ମେଡିକାଲ ପ୍ରତିଷ୍ଠାନକୁ ସରକାର ଦୁଷ୍କର୍ମ ଟେଷ୍ଟ କିଟ୍ ଯୋଗାଇ ଦେଇଥିବା ସତ୍ତ୍ବେ ଭାରତ ସମେତ ବିଶ୍ବର ଅନ୍ୟ କେତେକ ଦେଶରେ ମଧ୍ୟ ଟୁ ଫିଙ୍ଗର ଟେଷ୍ଟ କରାଯାଉଛି।

ସମ୍ବନ୍ଧିତ ଖବର