ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ୫ ବିଚାରପତି ନିଯୁକ୍ତ ହେବାର ସପ୍ତାହକ ପରେ ଆଜି ପୁଣି ଆଉ ୨ ଜଣ ବିଚାରପତିଙ୍କର ସୁପ୍ରିମକୋର୍ଟକୁ ପଦୋନ୍ନତି ହୋଇଛି। ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାରଙ୍କ ନିଯୁକ୍ତିକୁ ଆଜି କେନ୍ଦ୍ର ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୨ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମୋର ଶୁଭେଚ୍ଛା।
ଗତ ଜାନୁଆରି ୩୧ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଜଷ୍ଟିସ ଅରବିନ୍ଦ କୁମାରଙ୍କ ନାମ ସୁପାରିସ କରିଥିଲେ। ଏହି ସୁପାରିସକୁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଥିବାରୁ ସୁପ୍ରିମକୋର୍ଟ ଏବେ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ। ଉକ୍ତ ୨ ବିଚାରପତି ଶପଥ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟରେ ସମସ୍ତ ୩୪ ବିଚାରପତି ପଦବି ପୁରଣ ହେବ। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ପଙ୍କଜ ମିଥଲ, ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ସଂଜୟ କାରୋଲ, ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ପିଭି ସଂଜୟ କୁମାର, ପାଟନା ହାଇକୋର୍ଟ ବିଚାରପତି ଅସନୁଦ୍ଦିନ ଅମନୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟ ବିଚାରପତି ମନୋଜ ମିଶ୍ର ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହୋଇଥିଲେ।