ଦେଶଦ୍ରୋହ ଆଇନ ନେଇ ସୁପ୍ରିମ୍‌ କୋର୍ଟଙ୍କ ଚିନ୍ତା, ଇଂରେଜ ଅମଳର ଆଇନରୁ ମୁକ୍ତି ଜରୁରୀ

ଆଇନର ବୈଧତା ନେଇ କେନ୍ଦ୍ରକୁ ଜବାବ ମାଗିଲେ

ନୂଆଦିଲ୍ଲୀ: ବ୍ରିଟିସ୍‌ ଶାସନ ଅମଳର ଦେଶଦ୍ରୋହ ସଂକ୍ରାନ୍ତ ଦଣ୍ଡାତ୍ମକ ଆଇନର ଦୁରୁପଯୋଗ ନେଇ ସୁପ୍ରିମ୍‌ କୋର୍ଟ ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ଆଇନର ବୈଧତାକୁ ଚ୍ୟାଲେଂଜ କରି ‘ଏଡିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ’ର ଆବେଦନ ଉପରେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଉପନିବେଶ ସମୟର ଏହି ଆଇନ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି ଏବଂ ଏହାର ଅପବ୍ୟବହାର ହେଉଥିବାରୁ ପ୍ରଧାନ ବିଚାରପତି ଏନ୍‌ ଭି ରମଣାଙ୍କ ନେତୃତ୍ବାଧୀନ ତିନି ଜଣିଆ ଖଣ୍ଡପୀଠ ଚିନ୍ତା ପ୍ରକଟ କରିଛନ୍ତି ।

ଏହି ଦଣ୍ଡାତ୍ମକ ଆଇନକୁ ରଦ୍ଦ କରିବା ପାଇଁ ଏ ପର୍ଯ୍ୟନ୍ତ କାହିଁକି ପଦକ୍ଷେପ ନିଆଯାଉ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଦେଶଦ୍ରୋହ ଆଇନର ଲକ୍ଷ୍ୟ ଥିଲା ଦେଶର ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନକୁ ଦବାଇବା। ଏହି ଆଇନର ବ୍ୟବହାର ମହାତ୍ମା ଗାନ୍ଧୀ ଏବଂ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ବିରୋଧରେ କରାଯାଉଥିଲା। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଏଭଳି ଆଇନର ଆବଶ୍ୟକତା କ’ଣ ବୋଲି ସୁପ୍ରିମ୍‌ କୋର୍ଟ ସରକାରଙ୍କୁ ପଚାରିଛନ୍ତି। ଆଇନର ପ୍ରବଳ ଦୁରୁପଯୋଗ ସାମ୍ନାକୁ ଆସିଥିବା ଦର୍ଶାଇ ଖଣ୍ଡପୀଠ କହିଛନ୍ତି ଯେ ଜଣେ ବଢ଼େଇକୁ ଖଣ୍ଡିଏ କାଠ କାଟିବା ପାଇଁ କରତ ଦିଆଯାଇଥିବା ବେଳେ ସେ ଏହାକୁ ପୂରା ଜଙ୍ଗଲକୁ କାଟିବା ପାଇଁ ବ୍ୟବହାର କଲେ ଯେଭଳି ସ୍ଥିତି ସୃଷ୍ଟି ‌ହୁଏ ତାହା ‌ଏ କ୍ଷେତ୍ରରେ ଦେଖିବାକୁ ମିଳିଛି।

ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗେପାଳ ଏ ବାବଦରେ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଯେ ଏହି ଆଇନର କେତେକ ପ୍ରାବଧାନର ଦୁରୁପଯୋଗକୁ ରୋକିବା ପାଇଁ ମାର୍ଗଦଶିକା ପ୍ରସ୍ତୁତ କରାଯାଇପାରିବ। କିନ୍ତୁ ଦେଶ‌ବିରୋଧୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଏହାର କେତେକ ପ୍ରାବଧାନକୁ କାଏମ ରଖିବାକୁ ହେବ ବୋଲି ମଧ୍ୟ ସେ କହିଛନ୍ତି। ଦେଶଦ୍ରୋହ ଆଇନ ବିରୋଧରେ ମଣିପୁର ଏବଂ ଛତିଶଗଡ଼ର ଦୁଇଜଣ ସାମ୍ବାଦିକଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଆଜି କେନ୍ଦ୍ରକୁ ନୋଟିସ୍‌ ଜାରି କରିଛନ୍ତି। ଏହି ଆବେଦନରେ ଦେଶଦ୍ରୋହ ଆଇନର ଅପବ୍ୟବହାର ଯୋଗୁଁ ବାକ୍‌ ସ୍ବାଧୀନତା ଏବଂ ମତପ୍ରକାଶର ଅଧିକାର ଉଲ୍ଲଂଘନ ହେଉଛି ଏବଂ ଲୋକଙ୍କୁ ଭୟଭୀତ କରାଯାଉଛି ବୋଲି ଦର୍ଶାଯାଇଥିଲା। ଆବେଦନକାରୀ ଦର୍ଶାଇଛନ୍ତି ଯେ ଆଇପିସି ୧୮୬୦ର ଧାରା ୧୨୪-ଏ ଅଧୀନରେ ଏଫ୍‌ଆଇଆର୍‌ ରୁଜୁ କରି ଅଭିବ୍ୟକ୍ତିର ଅଧିକାର ଉପରେ ଆକ୍ରମଣ କରାଯାଉଛି।

ସମ୍ବନ୍ଧିତ ଖବର