ଜ୍ଞାନବାପି ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଶିବଲିଙ୍ଗ ସୁରକ୍ଷିତ ରଖ, ନମାଜ ପାଇଁ ବାଧା ଦିଅନି

ତଥ୍ୟ ଲିକ୍‌ କରିବାରୁ ସର୍ଭେ କମିସନର ହଟିଲେ

ନୂଆଦିଲ୍ଲୀ: ବାରଣାସୀର ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ମିଳିବା ନେଇ ଦାବି ହେବା ପରେ ବାରଣାସୀର ଅଦାଲତ ‌ଏହି ଅଞ୍ଚଳକୁ ସିଲ୍ କରିବା ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ବାରଣାସୀ କୋର୍ଟଙ୍କ ଆଦେଶ ସେତିକିରେ ସୀମିତ ରହିବ ବୋଲି ଆଜି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ମସଜିଦ ପରିସରରେ ନମାଜ ପାଠ କରିବା ମୁସଲିମଙ୍କ ପ୍ରବେଶ ଉପରେ କୌଣସି କଟକଣା ରହିବ ନାହିଁ। ଏଥିସହିତ ଉକ୍ତ ମାମଲାର ଶୁଣାଣିକୁ ଆସନ୍ତା ଗୁରୁବାରକୁ ସ୍ଥଗିତ ରଖିଛନ୍ତି।

କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ ପରିସ‌ରରେ ଭିଡିଓଗ୍ରାଫି ସର୍ଭେ ପାଇଁ ବାରଣାସୀ ଜିଲ୍ଲା କୋର୍ଟ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏହି ମାମଲାର ଶୁଣାଣି କରି ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପିଏସ ନରସିଂହାଙ୍କୁ ନେଇ ଗଠିତ ଖଣ୍ଡପୀଠ ହିନ୍ଦୁପକ୍ଷର ଆବେଦନକାରୀ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ତେବେ ବାରଣାସୀ କୋର୍ଟଙ୍କ ଭିଡିଓଗ୍ରାଫି ସର୍ଭେ ଏବଂ ଶିବଲିଙ୍ଗ ମିଳିଥିବା ଅଞ୍ଚଳକୁ ସିଲ୍‌ କରାଯିବା ରାୟ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟ ଦୁଇଦିନ ସମୟ ପ୍ରଦାନ କରିଛନ୍ତି। ଶିବଲିଙ୍ଗ ମିଳିବା ନେଇ ହିନ୍ଦୁପକ୍ଷର ଆଇନଜୀବୀ ଯେଉଁ ଯୁକ୍ତି ବାଢ଼ିଥିଲେ ତାହାକୁ ମୁସଲିମ ପକ୍ଷର ଆଇନଜୀବୀ ବିରୋଧ କରିଥିଲେ।
ଅନ୍ୟପକ୍ଷରେ ବାରଣାସୀ ଅଦାଲତ ସର୍ଭେ ରିପୋର୍ଟ ଦାଖଲ କରିବା ପାଇଁ କମିସନଙ୍କୁ ଦୁଇ ଦିନ ସମୟ ପ୍ରଦାନ କରିଛନ୍ତି। ଅଦାଲତ ଆଡଭୋକେଟ କମିସନର ଅଜୟ କୁମାର ମିଶ୍ରଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଫଳରେ ସ୍ବତନ୍ତ୍ର ଆଡଭୋକେଟ କମିସନର ବିଶାଳ ସିଂହ ଦୁଇ ଦିନ ମଧ୍ୟରେ କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବେ। ଗତକାଲିର ରାୟ ପରେ ମସଜିଦ୍ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ପରବର୍ତ୍ତୀ ଶୁଣାଣି ଗୁରୁବାର, ତଥ୍ୟ ଲିକ୍‌ କରିବାରୁ ସର୍ଭେ କମିସନର ହଟିଲେ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ପରିସରର ସର୍ବେକ୍ଷଣ ପାଇଁ ନିଯୁକ୍ତ ହୋଇଥିବା ଟିମ୍‌ର ୩ କମିସନରଙ୍କ ମଧ୍ୟରୁ ଆଜି ଜଣଙ୍କୁ ବାରଣାସୀ କୋର୍ଟ ହଟାଇ ଦେଇଛନ୍ତି। ବାରଣାସୀ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆଡଭୋକେଟ୍‌ କମିସନର ଅଜୟ କୁମାର ମିଶ୍ରଙ୍କୁ କୋର୍ଟ ଆଜି ତାଙ୍କ ପଦରୁ ହଟାଇ ଦେଇଛନ୍ତି। ସର୍ବେକ୍ଷଣର ସୂଚନା ଗଣମାଧ୍ୟମରେ ପ୍ରଘଟ କରିଥିବାରୁ ଅଜୟ ମିଶ୍ରଙ୍କୁ ହଟାଯାଇଛି। ଅନ୍ୟପକ୍ଷେ ଟିମ୍‌ର ଅନ୍ୟ ୨ଜଣ ସଦସ୍ୟ ବିଶାଲ ସିଂହ ଏବଂ ଅଜୟ ପ୍ରତାପ ଯଥାକ୍ରମେ କୋର୍ଟ କମିସନର ଏବଂ ଡେପୁଟି କୋର୍ଟ କମିସନର ଭାବେ ନିଜ ଦାୟିତ୍ବ ତୁଲାଇବେ। ବିଶାଲ ସିଂହ ସର୍ଭେ ରିପୋର୍ଟ ଦାଖଲ କରିବାପାଇଁ କୋର୍ଟଙ୍କଠାରୁ ୨ ଦିନ ସମୟ ମାଗିବାରୁ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କମିସନର ଅଜୟ ମିଶ୍ର ତାଙ୍କ ଦାୟିତ୍ବ ସଠିକ୍‌ ଭାବେ ତୁଲାଇନାହାନ୍ତି। ସର୍ଭେ ପ୍ରକ୍ରିୟାରେ ସେ ଜଣେ ଘରୋଇ କ୍ୟାମେରାମ୍ୟାନ୍‌ଙ୍କୁ ସାମିଲ କରିଥିଲେ। ଏହି କ୍ୟାମେରାମ୍ୟାନ୍‌ ହିଁ ତଥ୍ୟ ପ୍ରଘଟ କରିଦେଲେ। ଆଜି ଏହି ତଥ୍ୟ ଲିକ୍‌ ପ୍ରସଙ୍ଗ ନେଇ କୋର୍ଟ‌ରେ ବିତର୍କ ହେବାପରେ କୋର୍ଟ କମିସନର ଅଜୟ ମିଶ୍ରଙ୍କୁ ହଟାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର