ମୁମ୍ବାଇ: ମହାରାଷ୍ଟ୍ରରେ ସୋମବାର ହୋଇପାରେ ନୂଆ ସରକାରଙ୍କ ଶପଥଗ୍ରହଣ ସମାରୋହ । ପ୍ରଥମେ କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି । ଚଳିତ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୨୬ ତାରିଖରେ ଶେଷ ହେଉଛି । ଏଣୁ ତାପୂର୍ବରୁ ନୂଆ ସରକାରର ଶପଥ ଗ୍ରହଣ କାର୍ଯ୍ୟ ଶେଷ କରି କାର୍ଯ୍ୟଭାର ଗ୍ରହଣ କରିବା ଲାଗି ଉଦ୍ୟମ ଚାଲିଛି । ଯଦି ନୂଆ ସରକାରର ଗଠନ ୨୬ ତାରିଖ ପୂର୍ବରୁ ସମ୍ଭବ ନ ହୁଏ ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଯିବ । 

Advertisment

ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବରେ ଥିବା ମହାୟୁତି ମେଣ୍ଟ ବିପୁଳ ବିଜୟ ହାସଲ କରିଥିଲା । ମୋଟ ୨୮୮ ଆସନରୁ ସରକାର ଗଠନ ପାଇଁ ୧୪୫ଟି ଆସନ ଆବଶ୍ୟକ ହେଉଥିବାବେଳେ ମହାଯୁତି ୨୩୬ ଆସନ ଜିତି ରେକର୍ଡ ସୃଷ୍ଟି କରିଛି । ଏହା ସତ୍ତ୍ବେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ବିଜେପି ହାଇକମାଣ୍ଡ ଦେବେନ୍ଦ୍ର ଫଡନବୀଶଙ୍କ ନାମରେ ମୋହର ମାରିବାର ସମ୍ଭାବନା ରହିଛି । ସେହିପରି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । 

ସେପଟେ ଝାଡ଼ଖଣ୍ଡରେ ଆଜି (ରବିବାର) ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ରାଜ୍ଯପାଳଙ୍କ ନିକଟରେ ଦାବି କରିପାରନ୍ତି ।