ଶେଷ ମୁହୂର୍ତ୍ତରେ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ: ଆଜି ଶପଥ ଗ୍ରହଣ, ଅସନ୍ତୋଷ ଜାରି

ଅହମଦାବାଦ୍‌ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନୂଆମନ୍ତ୍ରୀମାନେ ଆସନ୍ତାକାଲି ଶପଥ ନେବେ। ଶପଥଗ୍ରହଣ ଉତ୍ସବ ଆଜି ଅପରାହ୍ନ ୨ଟାରେ ସ୍ଥିର ହୋଇଥିଲା। ରାଜଭବନରେ ପୋଷ୍ଟର ମଧ୍ୟ ଲାଗିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଅପରାହ୍ନ ୧.୩୦ରେ ଗାନ୍ଧିନଗର ସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନେ ଶପଥ ନେବେ ବୋଲି ସିଏମ୍‌ଓ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ଶପଥଗ୍ରହଣ ଉତ୍ସବ ଆସନ୍ତାକାଲିକୁ ସ୍ଥଗିତ ରହିଛି ବୋଲି ରାଜ୍ୟପାଳ ଅଫିସ୍‌ ପକ୍ଷରୁ ସ୍ପ‌ଷ୍ଟ କରାଯାଇଛି। ତେବେ ଶପଥ ଗ୍ରହଣ ଉତ୍ସବ କାହିଁକି ସ୍ଥଗିତ ରହିଲା ସେନେଇ ବିଜେପି କିମ୍ବା ରାଜ୍ୟ ସରକାର କୌଣସି କାରଣ ଦର୍ଶାଇନାହାନ୍ତି। ମନ୍ତ୍ରୀପଦକୁ ନେଇ କିଛି ମତଭେଦ ହୋଇଥିବାରୁ ଶପଥଗ୍ରହଣ ଉତ୍ସବ ବିଳମ୍ବ ହେଉଥିବା କୁହାଯାଉଛି।

ଗୁଜରାଟ ବିଜେପି ପ୍ରଭାରି ଭୂପେନ୍ଦ୍ର ଯାଦବ ଗାନ୍ଧିନଗରରେ ଗତ ୨ ଦିନ ଧରି ମାରାଥନ୍‌ ବୈଠକ କରିଛନ୍ତି। ନୂଆ କ୍ୟାବିନେଟ୍‌ରେ କେଉଁମାନେ ସାମିଲ ରହିବେ ସେନେଇ ମାନସମନ୍ଥନ ଜାରି ରହିଛି। ତେବେ ଭୂପେନ୍ଦ୍ର ପଟେଲ ନୂଆ ମନ୍ତ୍ରିମଣ୍ଡଳ‌ରେ ସବୁ ନୂଆ ମୁହଁ ରଖିପାରନ୍ତି। ସେ ପୂର୍ବ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ହଟାଇପାରନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ବିବାଦ ବଢ଼ିଛି ଏବଂ ବିଭିନ୍ନ ସ୍ଥାନରେ ବୈଠକ ହୋଇଛି। ୪ରୁ ୫ ଜଣ ମନ୍ତ୍ରୀ ବିଜୟ ରୂପାନୀଙ୍କ ଘରେ ମଧ୍ୟ ପହଞ୍ଚିଥିଲେ। ତେବେ ବରିଷ୍ଠ ମନ୍ତ୍ରୀ ନୀତିନ ପଟେଲ, ଆର୍‌ସି ଫାଲ୍‌ଦୁ, କୌଶିକ ପଟେଲ ପ୍ରମୁଖଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ କି ନେଇ ସେନେଇ ଚର୍ଚ୍ଚା ହୋଇଛି।

ସମ୍ବନ୍ଧିତ ଖବର