ବ୍ରିଟେନ ଫେରାଇବ କି ଶିବାଜୀଙ୍କ ତରବାରୀ ?

ମୁମ୍ବାଇ : ବ୍ରିଟେନରୁ କୋହିନୂର ହୀରା ଫେରାଇ ଆଣିବାକୁ ବିଗତ ଅନେକ ବର୍ଷ ହେଲା ଉଦ୍ୟମ ଚାଲିଥିବାବେଳେ ଏବେ ଆଉ ଏକ ବହୁମୂଲ୍ୟ ସାମଗ୍ରୀ ଫେରାଇ ଆଣିବାକୁ ପୁଣି ଉଦ୍ୟମ ଆରମ୍ଭ ହୋଇଛି । ତାହା ହେଉଛି ଶିବାଜୀ ମହାରାଜଙ୍କ ପ୍ରସିଦ୍ଧ ଜଗଦମ୍ବା ତରବାରୀ । ଏହି ତରବାରୀ ଏବେ ଲଣ୍ଡନରେ ବ୍ରିଟିଶ ରାଜପରିବାର ନିୟନ୍ତ୍ରଣରେ ଥିବା ସେଣ୍ଟ ଜେମ୍ସ ପ୍ରାସାଦରେ ରଖାଯାଇଛି ।

ଆସନ୍ତା ୨୦୨୪ରେ ମହାରାଷ୍ଟ୍ର ସରକାର ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକର ୩୫୦ତମ ବାର୍ଷିକୀ ପାଳନ କରୁଛନ୍ତି । ଏହା ପୂର୍ବରୁ ଏହି ତରବାରୀ ବ୍ରିଟେନରୁ ଫେରାଇ ଆଣିବାକୁ ମହାରାଷ୍ଟ୍ର ସରକାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ତେବେ ଜଗଦମ୍ବା ତରବାରୀକୁ ଭାରତ ଫେରାଇ ଆଣିବା ଏହା ପ୍ରଥମ ଉଦ୍ୟମ ନୁହେଁ । ପୂର୍ବରୁ ବାଳ ଗଙ୍ଗାଧର ତିଳକଙ୍କ ସମୟରୁ ହିଁ ଏହି ଉଦ୍ୟମ ଜାରି ରହିଛି । ସ୍ବାଧୀନତା ପରେ ବି ମହାରାଷ୍ଟ୍ରର କେତେକ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉଦ୍ୟମ କରିଥିଲେ । କିନ୍ତୁ କେହି ଏଥିରେ ସଫ​ଳ ହୋଇ ନାହାନ୍ତି ।

ସୂଚନାଯୋଗ୍ୟ ଯେ, ଶିବାଜୀ ମହାରାଜଙ୍କ ୩ଟି ପ୍ରସିଦ୍ଧ ତରବାରୀ ଥିଲା । ସେଗୁଡ଼ିକର ନାଁ ହେଉଛି ଜଗଦମ୍ବା, ଭବାନୀ ଓ ତୁଲଜା । ଭବାନୀ ତରବାରୀଟି ଏବେ ଶିବାଜୀଙ୍କ ବଂଶଧରଙ୍କ ପାଖରେ ରହିଛି । ଅନ୍ୟପକ୍ଷରେ ତୁଲଜା ତରବାରୀଟି ଏବେ ବି ନିଖୋଜ ରହିଛି ।

୧୮୭୫ରେ ବ୍ରିଟେନର ରାଜା ଏଡଓ୍ବାର୍ଡ ୭ମ ଭାରତ ଗସ୍ତରେ ଆସିଥିବାବେଳେ ତତକାଳୀନ ବ୍ରିଟିଶ-ଭାରତ ସରକାର ତାଙ୍କୁ ଏହାକୁ ଉପହାର ଦେଇଥିଲେ ।

 

 

ସମ୍ବନ୍ଧିତ ଖବର