ସିଡନି କ୍ବାଡ୍‌ ସମ୍ମିଳନୀ ବାତିଲ, ହିରୋସିମାରେ ହେବ

ଟୋକିଓ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଯୋଗୁଁ ସିଡନିରେ ହେବାକୁ ଥିବା କ୍ବାଡ୍‌ ସମ୍ମିଳନୀ ବାତିଲ ହୋଇଯାଇଛି । ଏହି ଶିଖର ସମ୍ମିଳନୀ ଜି-୭ ସମ୍ମିଳନୀ ଅବସରରେ ମେ ୨୪ରେ ହିରୋସିମାରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମା‌ଠାରେ ଜି-୭ ଏବଂ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ। ତା’ପରେ ସେ ପାପୁଆ ନ୍ୟୁ ଗିନିର ପୋର୍ଟ ମୋର୍ସବିରେ ଭାରତ-ପ୍ରଶାନ୍ତ ସାମ୍ମୁଖ୍ୟ ବୈଠକରେ ଯୋଗ ଦେବା ପରେ ଅଷ୍ଟ୍ରେଲିଆ ଯିବେ। ସେଠାରେ ଦ୍ବିପାକ୍ଷିକ ଆଲୋଚନାରେ ଭାଗ ନେବେ। ହିରୋସିମାଠାରେ ଜି-୭ ଶିଖର ସମ୍ମିଳନୀର ସାଇଡ୍‌ଲାଇନ୍‌ରେ କ୍ବାଡ୍ ନେତାମାନଙ୍କ ବୈଠକ ଅନୁଷ୍ଠିତ ହେବ।

ବରିଷ୍ଠ ଅଧିକାରୀମାନଙ୍କ ସୂଚନା ଅନୁସାରେ, ରାଷ୍ଟ୍ରପତି ବାଇଡେନଙ୍କ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଯୋଗୁ କ୍ବାଡ୍ ସମ୍ମିଳନୀର ସ୍ଥାନ ପରିବର୍ତ୍ତନ କରାଯାଇଛି। ସିଡ୍‌ନୀ ବଦଳରେ ଏହା ହିରୋସିମାରେ ଅନୁଷ୍ଠିତ ହେବ। କ୍ବାଡ୍ ସମ୍ମଳନୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏହାର ସମସ୍ତ ଚାରି ଅଂଶୀଦାର ରାଷ୍ଟ୍ର ଗୋଷ୍ଠୀର ସୁରକ୍ଷା ତଥା ଅର୍ଥନୈତିକ ଓ ପ୍ରଯୌକ୍ତିକ ସହଯୋଗ ଉପରେ ଗୁରୁତ୍ବ ଦେବେ। ବୈଶ୍ବିକ ଯୋଗାଣ ଶୃଙ୍ଖଳ ଗଠନ ଓ ଦକ୍ଷତା ବିକାଶ ଉପରେ ମଧ୍ୟ ସେମାନେ ଆଲୋଚନା କରିବେ। କ୍ବାଡ୍ ଚୀନ୍ ବିରୋଧରେ ଗଣତାନ୍ତ୍ରିକ ଶକ୍ତିମାନଙ୍କର ମେଣ୍ଟ ନୁହେଁ ବରଂ ଏହା ଭାରତ-ପ୍ରଶାନ୍ତ ଅଞ୍ଚଳରେ ପାରସ୍ପରିକ ଆର୍ଥିକ, ପ୍ରଯୌକ୍ତିକ ଓ ସୁରକ୍ଷାତ୍ମକ ସହଯୋଗ ପାଇଁ ଉଦ୍ଦିଷ୍ଟ। ତେବେ ସି ଜିନପିଙ୍ଗଙ୍କ ଆକ୍ରମଣାତ୍ମକ ଆଚରଣ ଯେ କ୍ବାଡ୍‌ର ଭିତ୍ତି ସ୍ତମ୍ଭ ଏଥିରେ ସନ୍ଦେହ ନାହିଁ ବୋଲି ଜନୈକ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର