ବଜ୍ରପାତରେ ତାଜମହଲ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଆଗ୍ରା ସହରରେ ଘନ ଘନ ବଜ୍ରପାତ ସହିତ ପ୍ରବଳ ଝଡ଼ବର୍ଷା ହୋଇଛି। ଏଥିରେ ବିଶ୍ବ ପ୍ରସିଦ୍ଧ ଐତିହାସିକ କୀର୍ତ୍ତିରାଜୀ ତାଜମହଲ କ୍ଷତିଗ୍ରସ୍ତ ହୋଇଛି। ମାର୍ବଲ ଓ ଲାଲ ବାଲୁକାପଥରରେ ନିର୍ମାଣ ହୋଇଥିବା ତାଜମହଲର ରେଲିଂର କିଛି ଅଂଶ ଖସି ପଡ଼ିଥିବାବେଳେ ମୁଖ୍ୟ କାଠ ଫାଟକ ବି ଢଳିଯାଇଛି। ସହରରେ ପବନର ଘଣ୍ଟା ପ୍ରତି ବେଗ ୧୨୪ କିଲୋମିଟର ରହିଥିଲା। ଏଥିଯୋଗୁଁ ସହରରେ ଅନେକ ଗଛ ଉପୁଡ଼ିବା ସହିତ ପାଚେରି ଭାଙ୍ଗିଯାଇଛି। କାନ୍ଥ ଏବଂ ଗଛ ପଡ଼ିବା ଯୋଗୁଁ ଅନେକ କାର ଭାଙ୍ଗିରୁଜି ଯାଇଛି।

ପ୍ରାୟ ୨୦ଟି ଘର ଭାଙ୍ଗିଥିବାବେଳେ ଭଗ୍ନାଂଶ ତଳେ ଜଣେ ୬ ବର୍ଷର ଶିଶୁର ଜୀବନ ଯାଇଛି। ତାଜମହଲ ପରିସରରେ ୧୦ଟି ଗଛ ଭାଙ୍ଗି ଯାଇଛି। କ୍ଷୟକ୍ଷତି ଆକଳନ ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଏଏସଆଇର ସଂରକ୍ଷଣ ସହାୟକ ଅଙ୍କିତ ନାମଦେବ କହିଛନ୍ତି। ତାଜମହଲ ପ୍ରଥମ ଥର ପାଇଁ ବଜ୍ରପା‌ତ ଓ ଝଡ଼ବର୍ଷାରେ କ୍ଷତିଗ୍ରସ୍ତ ହୋଇନାହିଁ। ପୂର୍ବରୁ ୨୦୧୮ ଏପ୍ରିଲ ୧୧ ଓ ମେ ୨ରେ ଏଭଳି ଝଡ଼ବର୍ଷା ଓ ବଜ୍ରପାତରେ ମଧ୍ୟ ତାଜମହଲର କ୍ଷତି ପହଞ୍ଚିଥିଲା।

ସମ୍ବନ୍ଧିତ ଖବର