ମଣିଷ ମାଂସ ଖୋଜୁଛି ‘ସୁନ୍ଦରୀ’ !

ଭୁବନେଶ୍ବର :  କିପରି ଅଛି ‘ସୁନ୍ଦରୀ’ ବାଘୁଣୀ ? ୨୦୧୮ରେ ଓଡ଼ିଶାରେ ଆତଙ୍କ ଖେଳାଇଥିବା ସୁନ୍ଦରୀ ବାଘୁଣୀ ଗତ ୧ ବର୍ଷ ହେଲା ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ବନବିହାର ଜାତୀୟ ଉଦ୍ୟାନରେ ରହିଛି । କିନ୍ତୁ ସେଠାରେ ତାକୁ ଭଲ ଲାଗୁ ନାହିଁ । ସବୁବେଳେ ଅସ୍ଥିର ରହୁଛି ।

ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ ମତରେ ଓଡ଼ିଶାରେ ଥିବାବେଳେ ସେ ମଣିଷଖିଆ ହୋଇଯାଇଥିଲା । ତା’ ପାଟିରେ ମଣିଷ ମାଂସ ଲାଗିବା ପରେ ସେ ସବୁବେଳେ ମଣିଷ ମାଂସ ଖୋଜୁଛି । ଏ ପରିସ୍ଥିତିରେ ତାକୁ ଆଉ ଜଙ୍ଗଲରେ ରଖିବା ସୁରକ୍ଷିତ ମନେ କରୁନାହିଁ ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗ । କାରଣ ସେ ମଣିଷଙ୍କ ପାଇଁ ବିପଦ ସୃଷ୍ଟି କରିବ ଓ ଏଥିଯୋଗୁଁ ମଣିଷଙ୍କଠାରୁ ମଧ୍ୟ ତା ପ୍ରତି ବିପଦ ରହିଛି । ଏଣୁ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା ଜୁଲାଇ ୮ରେ ତାକୁ ଭୋପାଳ ଚିଡ଼ିଆଖାନାକୁ ଫେରାଇ ନିଆଯିବ ।

୨୦୧୮ରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜାତୀୟ ଉଦ୍ୟାନରୁ ସୁନ୍ଦରୀ ବାଘୁଣୀ ଓ ମହାବୀର ବାଘକୁ ଓଡ଼ିଶା ଅଣାଯାଇଥିଲା । ଓଡ଼ିଶାର ସାତକୋଶିଆ ଜଙ୍ଗଲରେ ଉଭୟଙ୍କୁ ଛଡ଼ାଯାଇଥିଲା । କିନ୍ତୁ ଜଙ୍ଗଲରେ ସଂଦେହଜନକଭାବେ ମହାବୀରର ମୃତ ଦେହ ମିଳିଥିଲା  । ସେପଟେ ସୁନ୍ଦରୀ ଦୁଇ ଜଣଙ୍କ ଜୀବନ ନେବା ପରେ ମଣିଷ ଖିଆ ପାଲଟିଯାଇଥିଲା । ପରେ ମଧ୍ୟପ୍ରଦେଶ ସରକାରଙ୍କ ଅନୁରୋଧକ୍ରମେ ୨୦୨୧ରେ ତାହାକୁ ପୁଣି କାହ୍ନା ଜାତୀୟ ଉଦ୍ୟାନକୁ ଫେରାଇଦିଆଯାଇଥିଲା ।

 

ସମ୍ବନ୍ଧିତ ଖବର