ଗଣମାଧ୍ୟମ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଲା ତାଲିବାନ

କାବୁଲ : ଆଫଗାନିସ୍ତାନରେ ଗଣମାଧ୍ୟମ ସ୍ବାଧୀନତା ଉପରେ ତାଲିବାନ ଅଙ୍କୁଶ ଲାଗିଛି। ଗଣମାଧ୍ୟମ ଅନୁଷ୍ଠାନ ବିରୋଧରେ ତାଲିବାନ ୧୧ଟି ନିୟମ ଘୋଷଣା କରିଛି। ଜାତୀୟ ବ୍ୟକ୍ତିତ୍ବ ଏବଂ ଇସଲାମ୍‌କୁ ବିରୋଧ କରୁଥିବା ଭଳି ବିଷୟବସ୍ତୁ ଉପରେ ତାଲିବାନ ଅଙ୍କୁଶ ଲଗାଇଛି। ସରକାରୀ ଗଣମାଧ୍ୟମ ଅଫିସ୍‌ ସହ ସମନ୍ବୟ ରକ୍ଷା କରି ସାମ୍ବାଦିକମାନେ କାମ କରିବେ ବୋଲି ତାଲିବାନ କହିଥିବା ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରୁ ଜଣାପଡ଼ିଛି। ଆମେରିକାର ଏକ ଗଣମାଧ୍ୟମ ସ୍ବାଧୀନତା ଅନୁଷ୍ଠାନର ଜଣେ ବରି‌ଷ୍ଠ ସାମ୍ବାଦିକ ଷ୍ଟିଭେନ୍‌ ବଟଲର କହିଛନ୍ତି, ସାମ୍ବାଦିକମାନେ ଖୁବ୍‌ ଭୟଭୀତ ହୋଇଯାଇଛନ୍ତି।

ସେ ସାମ୍ବାଦିକମାନଙ୍କଠାରୁ ସାହାଯ୍ୟ ପାଇଁ ଶତାଧିକ ଇମେଲ୍‌ ପାଇଥିବା କହିଛନ୍ତି। ଆଫଗାନିସ୍ତାନ ସରକାରର ପତ୍ତନ ପରେ ଆଫଗାନିସ୍ତାନରେ ୧୫୦ରୁ ଅଧିକ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି। ତାଲିବାନ ଲଗାତାର ଭାବେ ଗଣମାଧ୍ୟମ ସ୍ବାଧୀନତାରେ ବାଧା ସୃଷ୍ଟି କରିଛି ଏବଂ ସାମ୍ବାଦିକଙ୍କ କାମରେ ବାଧା ଦେଇଛି। ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥିବାରୁ କିଛି ପ୍ରଖ୍ୟାତ ଖବରକାଗଜ ପ୍ରିଣ୍ଟ୍‌ ବନ୍ଦ କରିଦେଇଛନ୍ତି ଏବଂ କେବଳ ଅନଲାଇନ୍‌ରେ ଖବର ପରିବେଷଣ କରୁଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ ସାମ୍ବାଦିକଙ୍କ ଉପରେ ନିର୍ଯାତନା ମଧ୍ୟ ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର