ଆଫଗାନିସ୍ତାନକୁ ନିୟନ୍ତ୍ରଣ କରୁଥିବା ତାଲିବାନ୍‌ର ୭ ପ୍ରମୁଖ ସଦସ୍ୟ

କାବୁଲ: ତାଲିବାନ୍‌ ଆତଙ୍କବାଦୀ ସଂଗଠନ ଏବେ ସମଗ୍ର ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ ଏହାର ୭ ଜଣ ପ୍ରମୁଖ ନେତା ପୂରା ବ୍ୟବସ୍ଥାକୁ ସଂଚାଳନ କରୁଛନ୍ତି। ତାଲିବାନ ଆତଙ୍କବାଦୀ ସଂଗଠନର ଏହି ୭ ପ୍ରମୁଖ ସଦସ୍ୟଙ୍କ ସଂପର୍କରେ କିଛି ତଥ୍ୟ-
‌ହୈବତୁଲ୍ଲା ଅଖୁନ୍‌ଜାଦା, ସର୍ବୋଚ୍ଚ କମାଣ୍ଡର୍‌: ତାଲିବାନ୍‌ର ସର୍ବୋଚ୍ଚ କମାଣ୍ଡର ହେଉଛନ୍ତି ହୈବତୁଲ୍ଲା ଅଖୁନ୍‌ଜାଦା। ୨୦୧୬ରେ ଆମେରିକା ତାଙ୍କ ପୂର୍ବାଧିକାରୀଙ୍କୁ ନିପାତ କରିବାପରେ ସେ ଅନୁଷ୍ଠାନର ଏହି ସ‌ର୍ବୋଚ୍ଚ ପଦରେ ଅଛନ୍ତି। ତେବେ ଜଣେ ସାମରିକ କମାଣ୍ଡର ଅପେକ୍ଷା ସେ ଜଣେ ଧାର୍ମିକ ନେତାଭାବେ ଅଧିକ ଜଣାଶୁଣା।

ଅବଦୁଲ ଘନି ବରାଦର, ଉପନେତା: ତାଲିବାନ୍‌ର ଉପନେତା ଅବଦୁଲ ଘନି ବରାଦର ଏବେ ଚର୍ଚ୍ଚାରେ। ଆଫଗାନିସ୍ତାନରେ ପରବର୍ତ୍ତୀ ସରକାରର ସେ ମୁଖ୍ୟ ହେବେ। ସେ ଓସାମା ବିନ୍‌ ଲାଡେନ୍‌ର ଘନିଷ୍ଠ ସହଯୋଗୀ ଥିଲେ ଏବଂ ମୁଲା ମହମ୍ମଦ ଓମାର୍‌ ସହ ତାଲିବାନ୍‌ର ସହ ପ୍ରତିଷ୍ଠାତା ଥିଲେ।

ସିରାଜୁଦ୍ଦିନ୍‌ ହକ୍କାନି: ଆତଙ୍କବାଦୀ ସଂଗଠନ ହକ୍କାନି ନେଟୱର୍କ‌୍‌ର ଅନ୍ୟତମ ମୁଖ୍ୟ ସଂଚାଳକ ହେଉଛନ୍ତି ସିରାଜୁଦ୍ଦିନ୍‌ ହକ୍କାନି। ସେ ‌ହେଉଛନ୍ତି ଦ୍ବିତୀୟ ତାଲିବାନ୍‌ ଉପନେତା। ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ସେ ଆର୍ଥିକ ଏବଂ ସାମରିକ ବୁଝାମଣା କରନ୍ତି। ତାଙ୍କ ଭାଇ ମଧ୍ୟ ଜଣେ ପ୍ରମୁଖ ତାଲିବାନ୍ ନେତା

ମହମ୍ମଦ ୟାକୁବ: ତାଲିବାନ୍‌ର ପ୍ରତିଷ୍ଠାତା ମୁଲ୍ଲା ଓମାର୍‌ର ପୁଅ ହେଉଛନ୍ତି ୟାକୁବ୍‌। ସଂଗଠନର ଶୀର୍ଷ ପଦବି ପାଇଁ ସେ ଜଣେ ପ୍ରତିଦ୍ବନ୍ଦ୍ବୀ ଥିଲେ। ଏବେ ସେ ସିରାଜୁଦ୍ଦିନ ହକାନିଙ୍କ ସହ ତାଲିବାନ୍‌ ସଂଗଠନର ସାମରିକ କାର୍ଯ୍ୟକଳାପର ତଦାରଖ କରୁଛନ୍ତି।

ଅବଦୁଲ ହକିମ ହକ୍କାନି: ସର୍ବୋଚ୍ଚ କମାଣ୍ଡର ଅଖୁନଜାଦାଙ୍କ ଜଣେ ଘନିଷ୍ଠ ସହଯୋଗୀ ଅବଦୁଲ ହକିମ ହକ୍କାନି ପୂର୍ବତନ ଆମେରିକା ସମର୍ଥିତ ସରକାର ସହ ଶାନ୍ତି କଥାବାର୍ତ୍ତା ପାଇଁ ତାଲିବାନ୍‌ ବୁଝାମଣା ଟିମ୍‌ର ମୁଖ୍ୟ ଥିଲେ।

ଶେର ମହମ୍ମଦ ଆବ୍ବାସ ସ୍ତାନିକ୍‌ଜାଇ: ତାଲିବାନ୍‌ମା‌ନେ ଶେଷ ଥର ଆଫଗାନିସ୍ତାନରେ କ୍ଷମତାରେ ଥିବା ସମୟରେ ଶେର୍‌ ମହମ୍ମଦ ଆବ୍ବାସ ସ୍ତାନିକାଜାଇ ବିଦେଶ ବିଭାଗରେ ମନ୍ତ୍ରୀ ଥିଲେ। ୧୯୯୬ରେ ସେ ୱାସିଂଟନ ଗସ୍ତ କରିଥିଲେ ଏବଂ କ୍ଲିଣ୍ଟନ୍‌ ପ୍ରଶାସନ ତାଲିବାନ୍‌ ସରକାରକୁ ମାନ୍ୟତା ପ୍ରଦାନ କରିବା ଦିଗରେ ସେ ଚେଷ୍ଟା କରିଥିଲେ।

ଜବିଉଲ୍ଲା ମୁଜା‌ହେଦ: ମୁଜାହେଦ ନିକଟରେ କାବୁଲ୍‌ରେ ତାଲିବାନ୍‌ର ପ୍ରଥମ ସାମ୍ବା‌ଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ। ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ତାଲିବାନ୍‌ ସଂଗଠନର ବାର୍ତ୍ତା ରଖିବା ଦିଗରେ ସେ ପ୍ରମୁଖ ଭୂମିକା ନିର୍ବାହ କରିବେ। ୨୦ ବର୍ଷର ଯୁଦ୍ଧ ମଧ୍ୟରେ ସେ ସାମ୍ବାଦିକଙ୍କ ସହ କେବଳ ଫୋନ୍‌ ଏବଂ ମେସେଜ୍‌ରେ ଯୋଗାଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର