ରୁଷ୍‌ରେ ଭାରତୀୟ ପ୍ରତିନିଧିଦଳ ସହ ଆଲୋଚନା କଲେ ତାଲିବାନ ନେତା: ଆଫଗାନିସ୍ତାନକୁ ମାନବୀୟ ସହାୟତା ପ୍ରଦାନ କରିବ ଭାରତ

ମସ୍କୋ/ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗରେ ରୁଷ୍‌ ଅଧ୍ୟକ୍ଷତାରେ ଗତକାଲି ମସ୍କୋରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ‘ମସ୍କୋ ଫର୍ମାଟ୍‌’ ନାମରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ପ୍ରତିନିଧି ଦଳ ସହିତ ତାଲିବାନ ନେତାମାନଙ୍କର ସିଧାସଳଖ ଆଲୋଚନା ହୋଇଛି। ଏହି ଅବସରରେ ଆଫଗାନିସ୍ତାନର ଅନ୍ତରୀଣ ସରକାରର ଉପ ପ୍ରଧାନମନ୍ତ୍ରୀ ଅବ୍‌ଦୁଲ୍ଲ ସଲାମ ହନାଫିଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତୀୟ ଅଧିକାରୀଙ୍କୁ ଭେଟିଥିଲେ। ବୈଠକରେ ଭାରତ ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ବ୍ୟାପକ ମାନବୀୟ ସହାୟତା ପ୍ରଦାନ କରିବା ପାଇଁ ଇଚ୍ଛା ବ୍ୟକ୍ତ କରିଛି ଏବଂ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ।

ଭାରତର ବିଦେଶ ମନ୍ତ୍ରାଳୟର ପାକିସ୍ତାନ-ଆଫଗାନିସ୍ତାନ-ଇରାନ ବ୍ୟାପାର ଯୁଗ୍ମ ସଚିବ ଜେପି ସିଂହଙ୍କ ନେତୃତ୍ବରେ ଭାରତୀୟ ପ୍ରତିନିଧି ଦଳ ତାଲିବାନ ନେତାଙ୍କ ସହିତ ଆଲୋଚନା କରିଥିଲେ। ତାଲିବାନ ପ୍ରବକ୍ତା ଜବିଉଲ୍ଲା ମୁଜାହିଦ ଏକ ବୟାନରେ କହିଛନ୍ତି ଯେ ମସ୍କୋରେ ଉଭୟ ଦେଶର ବୈଠକରେ ଆଫଗାନିସ୍ତାନକୁ ମାନବୀୟ ସହାୟତା ପ୍ରଦାନ କରିବା ନେଇ ଭାରତ ଆମକୁ ଆଶ୍ବସ୍ତ କରିଛି। ତେବେ ଏହି ବୈଠକ ନେଇ ଭାରତ ପକ୍ଷରୁ ଆନୁଷ୍ଠାନିକ ବୟାନ ଜାରି କରାଯାଇନାହିଁ। ତାଲିବାନ ସହିତ ଭାରତର ପ୍ରଥମ ଔପଚାରିକ ବୈଠକରେ ଅଗଷ୍ଟ ୩୧ରେ ଦୋହାରେ ଅନୁଷ୍ଠିତ ହୋଇଥିଲା। ମସ୍କୋ ଫାର୍ମାଟ ବୈଠକରେ ଅଧ୍ୟକ୍ଷତା କରି ରୁଷ୍‌ର ବିଦେଶ ମନ୍ତ୍ରୀ ସର୍ଗେଇ ଲାବ୍‌ରୋବ କହିଛନ୍ତି ଯେ ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ପାଇଁ ତାଲିବାନ ସମସ୍ତଙ୍କୁ ସଂପୃକ୍ତ କରି ସରକାର ଗଠନ କରିବା ଆବଶ୍ୟକ। ଦେଶର ସମସ୍ତ ସଂପ୍ରଦାୟ ଏବଂ ରାଜନୈତିକ ଦଳର ଏହି ସରକାରରେ ସଂପୃକ୍ତି ଆବଶ୍ୟକ। ଏଭଳି ସରକାର ଗଠନ ହେଲେ ହିଁ ଏହାକୁ ଅନ୍ତର୍ଜାତୀୟ ସ୍ବୀକୃତି ମିଳିବ ବୋଲି ରୁଷ୍‌ ବିଦେଶ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର