ପଞ୍ଜଶୀର ଦଖଲ କଲା ତାଲିବାନ: ପାକିସ୍ତାନ ସହଯୋଗରେ ବୋମା ବର୍ଷା

ବିଦ୍ରୋହୀ ଗୋଷ୍ଠୀର ବହୁ ପ୍ରମୁଖ ସଦସ୍ୟ ନିପାତ, ଗଭର୍ଣ୍ଣର ଅଫିସ୍‌ରେ ପତାକା ଉଡ଼ାଇଲା

କାବୁଲ : ପଞ୍ଜଶୀର ପ୍ରଦେଶକୁ ତାଲିବାନ ସମ୍ପୂର୍ଣ୍ଣ ଦଖଲ କରିନେଇଛି। ପଞ୍ଜଶୀର ପାଇଁ ଚାଲିଥିବା ଲଢ଼େଇରେ ତାଲିବାନ ବିଜୟ ହାସଲ କରିଛି ବୋଲି ଦାବି କରିଛି ଏବଂ ପଞ୍ଜଶୀର ଗଭର୍ଣ୍ଣର ଅଫିସ୍‌ରେ ବିଜୟ ପତାକା ଉଡ଼ାଇଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଆଫଗାନିସ୍ତାନରେ ତାଲିବାନର ଦଖଲ ବାହାରେ ଥିବା ଏକମାତ୍ର ପ୍ରଦେଶ ପଞ୍ଜଶୀର ଏବେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଚାଲି ଆସିଛି।। ଜବିଉଲ୍ଲା କହିଛନ୍ତି, ବିଦ୍ରୋହୀ ବାହିନୀର ଅନେକ ସଦସ୍ୟ ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଆହୁରି ଅନେକ ଖସି ପଳାଇଛନ୍ତି। କିନ୍ତୁ ବିଦ୍ରୋହୀ ବାହିନୀ ଏନ୍‌ଆରଏଫ୍‌ (ନ୍ୟାସନାଲ୍‌ ରେଜିଷ୍ଟାନ୍ସ ଫ୍ରଣ୍ଟ୍‌ ଅଫ୍‌ ଆଫଗାନିସ୍ତାନ) ତାଲିବାନର ଏହି ଦାବିକୁ ଖଣ୍ଡନ କରିଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି, ତାଲିବାନର ଦାବି ସମ୍ପୂର୍ଣ୍ଣ ମିଥ୍ୟା। ସେ କହିଛନ୍ତି, ତାଲିବାନ ଆମ ବିରୋଧରେ ଅପରେସନ୍‌ ପାଇଁ ପାକିସ୍ତାନ ହେଲିକପ୍ଟର ବ୍ୟବହାର କରିଛି। କିନ୍ତୁ ତାଲିବାନ ବିରୋଧରେ ଲଢ଼େଇ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।। ବି‌ଦ୍ରୋହୀ ବାହିନୀ ଏନ୍‌ଆରଏଫ୍‌ ନେତା ଅହମଦ ମସୋଦ କହିଛନ୍ତି, ତାଲିବାନ ପାକିସ୍ତାନଠାରୁ ସହଯୋଗ ପାଉଛି। ଏକ ଟ୍ବିଟ୍‌ କରି ମସୋଦ ଦାବି କରିଛନ୍ତି ଯେ, ପଂଜଶୀର ଉପରେ ଆକ୍ରମଣ ପାଇଁ ତାଲିବାନ ସକ୍ଷମ ନୁହେଁ। ଏଥିପାଇଁ ପାକିସ୍ତାନ ‌ଡ୍ରୋନ୍‌ ଏବଂ ହେଲିକପ୍ଟର ଦ୍ବାରା ତାଲିବାନକୁ ସହଯୋଗ କରୁଛି।

ରିପୋର୍ଟ ଅନୁଯାୟୀ ପାକିସ୍ତାନ ସହଯୋଗରେ ତାଲିବାନ ପଞ୍ଜଶୀର ଉପତ୍ୟକାରେ ଆକ୍ରମଣ କରିଛି। ପାକିସ୍ତାନ ବାୟୁସେନାର ଡ୍ରୋନ୍‌ ଦ୍ବାରା ପଞ୍ଜଶୀରରେ ସ୍ମାର୍ଟ ବୋମା ବର୍ଷା ହୋଇଛି। ଏଥିଯୋଗୁଁ ବିପୁଳ କ୍ଷୟକ୍ଷତି ହୋଇଛି। ଅନେକ ମୃତାହତ ହୋଇଛନ୍ତି। ପାକିସ୍ତାନ ତାଲିବାନକୁ ଖୋଲାଖୋଲି ସମର୍ଥନ କରିଛି ବୋଲି ଏଥିରୁ ପ୍ରମାଣିତ ହୋଇଯାଇଛି। ପାକିସ୍ତାନ ଡ୍ରୋନ୍‌ ବ୍ୟବହାର ଦ୍ବାରା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡ଼ିଛି। କିନ୍ତୁ ସଲେହ ସୁରକ୍ଷିତ ଅଛନ୍ତି। ସଲେହ କେଉଁଠାରେ ଅଛନ୍ତି ତାହା ଜଣାପଡ଼ିନାହିଁ କିନ୍ତୁ ସେ ସୁରକ୍ଷିତ ଥିବା କହିଛନ୍ତି। ଅନ୍ୟପକ୍ଷେ ରବିବାର ଦିନ ତାଲିବାନ ଆକ୍ରମଣରେ ବିଦ୍ରୋହି ବାହିନୀ ଏନ୍‌ଆରଏଫ୍‌ର କେତେକ ପ୍ରମୁଖ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ତାଲିବାନ ସହ ଲଢ଼େଇ ସମୟରେ ତାଲିବାନ ମୁଖପାତ୍ର ଫାହିମ ଦସ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଅହମଦ ଶାହ ମସୋଦଙ୍କ ପୁତୁରା ଜେନେରାଲ ଶାହିବ ଅବଦୁଲ ୱାଦୁଦ ଝୋର ଏବଂ ମୁଖ୍ୟ କମାଣ୍ଡର ସଲେହ ମହମ୍ମଦଙ୍କର ମଧ୍ୟ ତାଲିବାନ ଆକ୍ରମଣରେ ମୃତ୍ୟୁ ହୋଇଛି। ଏନ୍‌ଆରଏଫ୍‌ ଫେସବୁକ୍‌ ପେଜ୍‌ରେ ମଧ୍ୟ କିଛି ପୁରୁଖା ନେତାଙ୍କୁ ହରାଇଥିବା ନେଇ ବିବୃତି ଜାରି କରିଛି। ଇତି ମଧ୍ୟରେ ପଞ୍ଜଶୀରରେ ବିଦ୍ରୋହୀ ବାହିନୀ ଅସ୍ତ୍ରବିରତି ପାଇଁ କହିଛନ୍ତି। ତାଲିବାନମା‌ନେ ପଞ୍ଜଶୀରରୁ ହଟିଯିବା ପାଇଁ ଏନ୍‌ଆରଏଫ୍‌ ପ୍ରସ୍ତାବ ଦେଇଛି ଏବଂ ଏହା ବଦଳରେ ଏନ୍‌ଆରଏଫ୍‌ କୌଣସି ସାମରିକ କାର୍ଯ୍ୟରେ ଲିପ୍ତ ହେବନାହିଁ ବୋଲି କହିଛି। କିନ୍ତୁ ତାଲିବାନ ଏନ୍‌ଆରଏଫ୍‌ର ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର