ଟାର୍ଗେଟ୍‌ରେ ଥିଲା ଏମ୍‌ଆଇ-୧୭ ହେଲିକପ୍ଟର

ଶ୍ରୀନଗର : ଜମ୍ମୁ ବାୟୁସେନା ଘାଟିରେ ହୋଇଥିବା ଡ୍ରୋନ ଆକ୍ରମଣ ଅତ୍ୟନ୍ତ ଯୋଜନାବଦ୍ଧ ଥିଲା। ବାୟୁସେନା ଘାଟି‌ର ହ୍ୟାଙ୍ଗରରେ ଥିବା ଏମ୍‌ଆଇ-୧୭ ‌ହେଲିକପ୍ଟରକୁ ଟାର୍ଗେଟ୍‌ କରି ଏହି ଆକ୍ରମଣ ହୋଇଥିଲା ବୋଲି ବାୟୁସେନା ଅଧିକାରୀମାନେ ଅନୁମାନ କରୁଛନ୍ତି। କିଛି ଦେଶ ବିରୋଧୀ ଶକ୍ତି ଦେଶର ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଂଜ କରି ଏଭଳି କାର୍ଯ୍ୟ ଘଟାଇଛନ୍ତି ବୋଲି ଅଭିଯୋଗ ହୋଇଛି। ବାୟୁସେନା ପକ୍ଷରୁ ଏନେଇ ଏକ ଏତଲା ରୁଜୁ ହୋଇଛି। ଏହି ଏତଲାରେ ଦର୍ଶାଯାଇଛି ଯେ, ଶନିବାର ରାତି ୧ଟା ୩୭ମିନିଟ୍‌ରେ ସତୱାରି ପରିସର ସ୍ଥିତ ବା‌ୟୁସେନା ଘାଟିରେ ଡ୍ରୋନ ମାଧ୍ୟମରେ ପ୍ରଥମ ଆକ୍ରମଣ ‌ହୋଇଥିଲା।

ଏହାର ୬ ମିନିଟ୍‌ ପରେ ପୁଣି ଆଉ ଏକ ବିସ୍ଫୋରଣ ହୋଇଥିଲା। ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ଜମ୍ମୁ କାଶ୍ମୀରରେ ଯେଉଁ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଛି ତଥା ଜମ୍ମୁରେ ଡ୍ରୋନ୍‌ ଆକ୍ରମଣଠାରୁ ଆରମ୍ଭ କରି ଏସ୍‌ପିଓଙ୍କୁ ହତ୍ୟା ଘଟଣା ସମସ୍ତ କାର୍ଯ୍ୟ ପାକିସ୍ତାନର ଉଦ୍ୟମ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକରେ ଜମ୍ମୁ କାଶ୍ମୀର ରାଜନେତାମାନଙ୍କୁ ଭେଟିବା ପରେ ଜମ୍ମୁରେ ଏହି ଆକ୍ରମଣ ହୋଇଛି। ପାକିସ୍ତାନ ଜମ୍ମୁରେ ଉତ୍ତେଜନା ବଢ଼ାଇବା ପାଇଁ ଏସବୁ କରୁଛି ବୋଲି ଗୁଇନ୍ଦା ଅଧିକାରୀମାନେ ବିଶ୍ବାସ କରୁଛନ୍ତି। ସେହିପରି ହାଫିଜ୍‌ର ବାସଭବନ ନିକଟରେ ହୋଇଥିବା ବିସ୍ଫୋରଣ ସହ ଜମ୍ମୁ ଘଟଣାର କିଛି ସମ୍ପୃକ୍ତି ଅଛି କି ନା’ ‌ସେନେଇ ତଦନ୍ତ ଚାଲିଛି। ଅନ୍ୟପକ୍ଷେ ଆଇଇଡିରେ ଆ‌ର୍‌ଡିଏକ୍ସ ବ୍ୟବହାର ହୋଇଛି କି ନା’ ତାହା ଫ‌ରେନ୍ସିକ୍‌ ଲ୍ୟାବ୍‌ ରିପୋର୍ଟ ଆସିବାପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର