ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଜାତୀୟ ଶିକ୍ଷାନବିସ ତାଲିମ ଯୋଜନାର କାର୍ଯ୍ୟକାଳ ୫ ବର୍ଷ ବଢ଼ାଇ ଦିଆଯାଇଛି। ଏହାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ତାଲିମ ଗ୍ରହଣ କରୁଥିବା ଶିକ୍ଷାନବିସଙ୍କ ନିମନ୍ତେ ୩୦୫୪ କୋଟି ଟଙ୍କା ଛାତ୍ରବୃତ୍ତି ଅନୁମୋଦିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ସଂଗଠନ ପକ୍ଷରୁ ପ୍ରାୟ ୯ ଲକ୍ଷ ଶିକ୍ଷାନବିସ ଏହି ତାଲିମ ଗ୍ରହଣ କରିବେ । ଯେଉଁ ଶିକ୍ଷାନବିସମାନେ ବୈଷୟିକ ବିଦ୍ୟାଳୟରେ ସ୍ନାତ୍ତକ ବା ଡିପ୍ଲୋମା ସମ୍ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ ୯ ହଜାର ଓ କଳା, ବିଜ୍ଞାନ ଏବଂ ବାଣିଜ୍ୟ ସ୍ନାତ୍ତକଙ୍କୁ ମାସିକ ୮ ହଜାର ଟଙ୍କା ଲେଖାଏଁ ବୃତ୍ତି ମିଳିବ । ଜାତୀୟ ଶିକ୍ଷାନୀତି ୨୦୨୦ ଦ୍ୱାରା ଗୁରୁତ୍ୱ ଆରୋପ କରାଯାଇଥିବା ଶିକ୍ଷାନବିସ ନୀତିକୁ ଆଧାର କରି ଏପରି ଆର୍ଥିକ ବୃତ୍ତି ବୃଦ୍ଧି କରାଯାଇଛି ।
ସରକାର ଗୁରୁତ୍ବ ଦେଉଥିବା ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଆଧାରରେ ଏନଏଟିଏସ ପରିସର ବୃଦ୍ଧି କରାଯାଇ କଳା, ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରିଛି । ଏହି ଯୋଜନା ଅଧୀନରେ କୌଶଳ ବିକାଶ କରାଯାଇ ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ସାତ ଲକ୍ଷ ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇବା ଲକ୍ଷ୍ୟ ରଖାଯାଇଛି । ଏହି ଏନଏଟିଏସ କ୍ରମବର୍ଦ୍ଧିଷ୍ଣୁ ଉତ୍ପାଦକତା ଭିତ୍ତିକ ପଦକ୍ଷେପ ଯେପରିକି ମୋବାଇଲ ପ୍ରସ୍ତୁତି, ମେଡିକାଲ ଉପକରଣ ତିଆରି ଔଷଧପତ୍ର କ୍ଷେତ୍ର, ଇଲେକ୍ଟ୍ରୋନିକ୍ସ, ପ୍ରଯୁକ୍ତି ସାମଗ୍ରୀ, ଅଟୋ ମୋବାଇଲ କ୍ଷେତ୍ର ଇତ୍ୟାଦିରେ ତାଲିମ ଉପରେ ଶିକ୍ଷାନବିସ ପ୍ରାଧାନ୍ୟ ଦେବେ । ଏହି ଯୋଜନା ମଧ୍ୟ ସଂଯୋଗ/ରଣନୀତିକ କ୍ଷେତ୍ର, ଗତି ଶକ୍ତି ଅଧୀନରେ ଚିହ୍ନଟ ଶିଳ୍ପ କ୍ଷେତ୍ର ନିମନ୍ତେ ମଧ୍ୟ କୁଶଳୀ କାରିଗର ପ୍ରସ୍ତୁତ କରିବ ।