ମୁମ୍ବାଇ: ଜମ୍ମୁ-କାଶ୍ମୀରର ପ୍ରାୟ ୫୦୦ ଛାତ୍ରୀ ଦେଶ ଭ୍ରମଣରେ ଯାଇଥିବା ବେଳେ ନିକଟରେ ମୁମ୍ବାଇର ଗୋରେଗାଓଁରେ ଥିବା ଏକ ହୋଟେଲରେ ଦୁଃଖଦ ଅନୁଭୂତି ପାଇଥିଲେ। କୋଠରିଗୁଡ଼ିକ କେବଳ ଅପରିଚ୍ଛନ୍ନ ଓ ଦୁର୍ଗନ୍ଧପୂର୍ଣ୍ଣ ନ ଥିଲା ବରଂ ସେଠାରେ ସେକ୍ସ ରାକେଟ୍ ଚାଲୁଥିବା ଜଣାପଡ଼ିବା ଏବଂ ଜଣେ କର୍ମଚାରୀଙ୍କ ଫୋନରେ ମହିଳାଙ୍କ ନଗ୍ନ ଫଟୋ ମିଳିବା ପରେ ସେମାନେ ନିଜକୁ ଅସୁରକ୍ଷିତ ଅନୁଭବ କରିଥିଲେ।
ନଭେମ୍ବର ୧୯ରେ ଜମ୍ମୁର କଟଡ଼ାରୁ ‘କଲେଜ ଅନ୍ ହ୍ୱିଲ୍ସ’ ନାମରେ ପରିଚିତ ଜ୍ଞାନୋଦୟ ଏକ୍ସପ୍ରେସରେ ପ୍ରାୟ ୮୦୦ ଛାତ୍ରୀ ଯାତ୍ରା ଆରମ୍ଭ କରିଥିଲେ ଏବଂ ପାଞ୍ଚଦିନ ପରେ ମୁମ୍ବାଇରେ ପହଞ୍ଚିଥିଲେ। ଗୋରେଗାଓଁର ରୟାଲ୍ ପାମ୍ସ ହୋଟେଲରେ ପ୍ରାୟ ୫୦୦ ଛାତ୍ରୀଙ୍କୁ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ସାକି ନାକାସ୍ଥିତ ଏକ ହୋଟେଲରେ ରୁମ୍ ଦିଆଯାଇଥିଲା। ତେବେ ରୟାଲ ପାମ୍ସରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ରାତ୍ରି ଭୋଜନର ବ୍ୟବସ୍ଥା କରାଯାଇଥିଲା ବୋଲି ଛାତ୍ରୀଙ୍କ ସହ ଥିବା ପ୍ରଫେସର ରାଜେଶ ସିଂହ କହିଛନ୍ତି। ବିଶେଷ କରି ଦିଲ୍ଲୀ ଓ ଅହମଦାବାଦରେ ସେମାନଙ୍କ ଉତ୍ତମ ଅନୁଭୂତି ପରେ ଏଠାରେ ସେମାନେ ହୋଟେଲକୁ ଅତି ନିମ୍ନମାନର ପାଇଥିଲେ। କୋଠରିଗୁଡ଼ିକ ଦୁର୍ଗନ୍ଧପୂର୍ଣ୍ଣ ଥିଲା। ବେଡ୍ସିଟ୍ରେ ଦାଗ ଲାଗିଥିଲା ଏବଂ ଛାତ୍ରୀମାନେ ଅତ୍ୟନ୍ତ ଅସହଜ ହୋଇପଡ଼ିଥିଲେ। ରୟାଲ ପାମ୍ସରେ ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ୍ର ପର୍ଦ୍ଦାଫାସ ହୋଇଥିବା ଖବର ପାଇବା ପରେ ଛାତ୍ରୀମାନେ ହୋଟେଲ ବିଷୟରେ ସମୀକ୍ଷା ପାଇଁ ଅନଲାଇନରେ ସର୍ଚ୍ଚ କରିଥିଲେ।
୮୦୦ ଲୋକଙ୍କ ପାଇଁ ରାତ୍ରିଭୋଜନ କରାଯିବାର ଥିଲା, କିନ୍ତୁ ଟେବୁଲ ବ୍ୟବସ୍ଥା ମାତ୍ର ୧୦୦ ଜଣଙ୍କ ପାଇଁ ଥିଲା। ରାତ୍ରିଭୋଜନ ଚାଲିଥିବା ବେଳେ ୨୦ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ଲାଇଟ୍ ବନ୍ଦ ହୋଇଯାଇଥିଲା। ପ୍ରଥମେ ଛାତ୍ରମାନେ ଏହାକୁ ବିଦ୍ୟୁତ୍ କଟିଗଲା ବୋଲି ଭାବିଥିଲେ, କିନ୍ତୁ ପରେ ଜାଣିବାକୁ ପାଇଲେ ଯେ କିଛି ଗରାଖଙ୍କୁ ବିଦା କରିବା ପାଇଁ ଲାଇଟ୍ ବନ୍ଦ କରାଯାଇଛି। କର୍ମଚାରୀଙ୍କ ସହ ଯୁକ୍ତିତର୍କ ହେବାରୁ ଜଣେ କର୍ମଚାରୀ ଏହାକୁ ରେକର୍ଡ କରିବା ଆରମ୍ଭ କରିଥିଲେ। ରେକର୍ଡିଂକୁ ଡିଲିଟ୍ କରିବା ପାଇଁ ଛାତ୍ରୀମାନେ ମୋବାଇଲ୍ ଛଡ଼ାଇ ନେଇଥିଲେ ଏବଂ ଏହି ପ୍ରକ୍ରିୟାରେ ସେଥିରେ ନଗ୍ନ ଫଟୋ ଥିବା ଦେଖିବାକୁ ପାଇଥିଲେ ଯାହା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ସମସ୍ତେ କରିଡରରେ ଶୋଇବାକୁ ଚାହିବାରୁ ଗଦି ପାଇଁ ଅନୁରୋଧ କରାଯାଇଥିଲା, କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଫଳରେ କେହି ଭଲରେ ଶୋଇପାରି ନ ଥିଲେ ବୋଲି ସିଂହ କହିଛନ୍ତି। ରୟାଲ ପାମ୍ସର ଅନ୍ୟତମ ମାଲିକ ଦିଲାଓ୍ୱାର ନେନସେଙ୍କ ପାଖକୁ ଯାଇଥିବା କଲ୍ ଓ ମେସେଜର ଉତ୍ତର ମିଳିନଥିଲା। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଆଇଆରସିଟିସି ଓ ଜମ୍ମୁ-କାଶ୍ମୀର ଉଚ୍ଚଶିକ୍ଷା ପରିଷଦ ମଧ୍ୟରେ ବୁଝାମଣା ହୋଇଥିଲା। ଏହି ଗସ୍ତ ପାଇଁ ଜମ୍ମୁ-କାଶ୍ମୀର ସରକାର ୪.୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସିଂହ କହିଛନ୍ତି। ଆଇଆର୍ସିଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୀମା କୁମାର କହିଛନ୍ତି, ଆମେ ତଦନ୍ତ ଆରମ୍ଭ କରିଛୁ। କେବଳ ଠିକାଦାର ନୁହନ୍ତି, ଆମ କର୍ମଚାରୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।