ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ: କୋଭାକ୍ସିନ ୮୧% ଫଳପ୍ରଦ

ନୂଆ ପ୍ରଜାତିର ମୁକାବିଲା ପାଇଁ ସକ୍ଷମ, ୨୪ ରାଜ୍ୟରେ କୌଣସି ନୂଆ କରୋନା ମୃତ୍ୟୁ ନାହିଁ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲା ପାଇଁ ଭାରତ ସରକାର ଚୟନ କରିଥିବା କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଆଜି ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ଟିକା ୮୧ ପ୍ରତିଶତ ପ୍ରଭାବୀ ଏବଂ ନୂଆ ପ୍ରଜାତିର କରୋନା ଭୂତାଣୁ ମୁକାବିଲା ପାଇଁ ସକ୍ଷମ ବୋଲି ଜଣାପଡ଼ିଛି । କୋଭାକ୍ସିନ ନିର୍ମାତା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ୨୫ ହଜାର ୮୦୦ ଲୋକଙ୍କଠାରେ କୋଭାକ୍ସିନ ଟିକାର ପରୀକ୍ଷଣ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ଚୂଡ଼ାନ୍ତ ରିପୋର୍ଟରୁ ଏହା ୮୧% ପ୍ରଭାବୀ ରହିଥିବା ସ୍ପଷ୍ଟ ହୋଇଛି । ଆଇସିଏମ୍‌ଆର୍‌ ସହଭାଗିତାରେ ପ୍ରସ୍ତୁତ ହୋଇଥିବା ଏହି ଟିକାକୁ ନେଇ ଦେଶରେ ସବୁଠାରୁ ବଡ଼ ପରୀକ୍ଷଣ କରାଯାଇଛି ଏବଂ ଆଶାନୁରୂପ ସଫଳତା ହାସଲ ହୋଇଛି ବୋଲି ଭାରତ ବାୟୋଟେକ କର୍ତ୍ତୃପକ୍ଷ କହିଛନ୍ତି। ଏବେ ବି ୧୩୦ ଜଣ କୋଭିଡ୍‌ ରୋଗୀଙ୍କଠାରେ କୋଭାକ୍ସିନର ପ୍ରଭାବ ନେଇ ପରୀକ୍ଷା ଜାରି ରହିଛି ଏବଂ ଏ ବାବଦରେ ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିବ। ଦେଶରେ ୧୬ ଜାନୁଆରିରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଏଥିରେ ହିତାଧିକାରୀଙ୍କୁ କୋଭାକ୍ସିନ ଏବଂ କୋଭିସିଲ୍‌ଡ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଭାରତର ସ୍ବଦେଶୀ କୋଭିଡ୍‌ ଟିକା କୋଭାକ୍ସିନର ସଫଳତା ବେଶ ଉତ୍ସାହ ସୃଷ୍ଟି କରିଛି ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଆସିଯାଇଥିବାରୁ ଏ ନେଇ ବିଶ୍ବବ୍ୟାପୀ ଉତ୍ସୁକତା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ପ୍ରଥମ ହିତାଧିକାରୀ ଭାବେ କୋଭାକ୍ସିନ ଟିକା ନେଇଥିଲେ । ଏବେ ସ୍ବଦେଶୀ ଟିକାକୁ ନେଇ ରହିଥିବା ଦ୍ବନ୍ଦ୍ବର ଅବସାନ ଘଟିଥିବା ବେଳେ ଏହି ଟିକାର ପ୍ରସ୍ତୁତି ମଧ୍ୟ ତ୍ବରାନ୍ବିତ ହେବ ବୋଲି ଜଣାପଡ଼ିଛି।

ନୂଆଦିଲ୍ଲୀ : କରୋନା ବିରୋଧୀ ଲଢ଼େଇରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ନୂଆ କରୋନା ମୃତ୍ୟୁ ହୋଇନାହିଁ। ଏହି ୨୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଗୋଆ, ବିହାର, ପୁଡ଼ୁଚେରୀ, ହିମାଚଳପ୍ରଦେଶ, ଆସାମ, ଲାକ୍ଷାଦ୍ବୀପ, ମଣିପୁର, ମେଘାଳୟ, ସିକ୍କିମ, ଡାମନ୍‌ ଏବଂ ଡିୟୁ ଏବଂ ଦାଦ୍ରା ନଗରହାଭେଳି, ମିଜୋରାମ୍‌, ଅରୁଣାଚଳପ୍ରଦେଶ, ଲଦାଖ୍‌, ତ୍ରିପୁରା, ନାଗାଲାଣ୍ଡ୍‌, ଆଣ୍ଡାମାନ୍‌ ନିକୋବର ଆଇଲାଣ୍ଡ୍‌ ରହିଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ୯୯ କରୋନା ମୃତ୍ୟୁ ହୋଇଛି। ତେବେ ୪ ରାଜ୍ୟରୁ ୮୮.୭୮ ପ୍ରତିଶତ କରୋନା ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କେରଳରେ ୧୬, ପଂଜାବରେ ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୩୩୨ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ କେରଳରେ ୩,୫୧୨ ଏବଂ ତାମିଲନାଡ଼ୁରେ ୪୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା‌ ମଧ୍ୟରେ ଦେଶରେ ୧୪,୯୮୯ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର‌ରୁ ସର୍ବାଧିକ ୭,୮୬୩ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଦେଶରେ ମୋଟ୍‌ ସକ୍ରିୟ ମାମଲା ୧,୭୦,୧୨୬ ରହିଛି। ଏହା ମୋଟ୍‌ ପଜିଟିଭ୍‌ ମାମଲାର ୧.୫୩ ପ୍ରତିଶତ। ମହାରାଷ୍ଟ୍ର, କେରଳ, ପଂଜାବ, ତାମିଲନାଡ଼ୁ, ଗୁଜରାଟ ଏବଂ କର୍ଣ୍ଣାଟକରେ କରୋନା ସଂକ୍ରମଣ ଲଗାତାର ବଢ଼ି ଚାଲିଛି।

ସମ୍ବନ୍ଧିତ ଖବର