ବଡ଼ ସହରରେ ତୃତୀୟ ଲହର: ଦିଲ୍ଲୀ, ମୁମ୍ବାଇ, କୋଲକାତାରେ ୭୫% ଓମିକ୍ରନ୍‌ ଆକ୍ରାନ୍ତ

ମୁମ୍ବାଇରେ ୮ ହଜାର ନୂଆ ମାମଲା, ଦିଲ୍ଲୀରେ ୮୪% ନମୁନାରେ ଓମିକ୍ରନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତାର ବଢ଼ିଚାଲିଛି। ଆଜି ୩୩,୭୫୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୫ ଦିନରେ ସଂକ୍ରମଣ ମାମଲାରେ ୫ ଗୁଣା ବୃଦ୍ଧି ହୋଇଛି। ଦେଶରେ ବଡ଼ ସହରମାନଙ୍କରେ ତୃତୀୟ ଲହର ଆରମ୍ଭ ନେଇ ଆଶଙ୍କା କରାଯାଉଛି। ମୁମ୍ବାଇ, ଦିଲ୍ଲୀ ଏବଂ କୋଲକାତାରେ ଦେଶର ମୋଟ୍‌ ଓମିକ୍ରନ୍‌ ମାମଲାର ୭୫ ପ୍ରତିଶତ ରହିଛି ବୋଲି କୋଭିଡ୍‌ ଟାସ୍କ ଫୋର୍ସ‌୍‌ ମୁଖ୍ୟ ଡାକ୍ତର ଏନ୍‌କେ ଆରୋରା କହିଛନ୍ତି। ବିଶେଷ କରି ଦିଲ୍ଲୀରେ ଓମିକ୍ରନ୍‌ ମାମଲା ଅଧିକ ରହିଛି। ଦେଶ ଏବେ ସ୍ପଷ୍ଟ ଭାବେ ତୃତୀୟ ଲହର ଦେଇ ଗତି କରୁଛି। ଓମିକ୍ରନ୍‌ ଯୋଗୁଁ ଅଚାନକ ସଂକ୍ରମଣ ବୃଦ୍ଧି ହୋଇଛି ଡାକ୍ତର ଆରୋରା କହିଛନ୍ତି। ଦେଶରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦ ଟପିଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୧୦ ଓମିକ୍ରନ୍‌ ମାମଲା ରହିଛି। ଅନ୍ୟପ‌କ୍ଷେ ଦେଶରେ ନୂଆ ସଂକ୍ରମଣରେ ୨୨ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଦିଲ୍ଲୀରେ ଆଜି ଦୈନିକ ସଂକ୍ରମଣ ୪ ହଜାର ଉପରେ ରହିଛି। ଦିଲ୍ଲୀରେ ପଜିଟିଭ୍‌ ହାର ୬ ପ୍ରତିଶତ ଟପିଯାଇଛି।

ମୁମ୍ବାଇରେ ଆଜି ୮,୦୮୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ୯୦ ପ୍ରତିଶତ ମାମଲାରେ କୌଣସି ଲକ୍ଷଣ ନାହିଁ। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୫୭୪ ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତକାଲିର ସଂକ୍ରମଣ (୮,୦୬୩) ଭଳି ଆଜିର ସଂକ୍ରମଣ ରହିଛି। କିନ୍ତୁ ଗତ ୨୪ ଘଣ୍ଟାରେ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ୧୨ ପ୍ରତିଶତ ବଢ଼ିଛି। ପୂର୍ବଦିନ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତ ଥିଲା। ଓମିକ୍ରନ୍‌ ‌ଯୋଗୁଁ ମୁମ୍ବାଇ‌ରେ ଅଚାନକ ସଂକ୍ରମଣ ବୃଦ୍ଧି ହୋଇଥିବା କୁହାଯାଉଛି।

ନୂଆଦିଲ୍ଲୀ: ଦିଲ୍ଲୀ ସଂକ୍ରମଣ ଭୟ ବଢ଼ାଉଛି। ଦିଲ୍ଲୀରେ ୮୪ ପ୍ରତିଶତ ନମୁନାରେ ଓମିକ୍ରନ୍‌ ଚିହ୍ନଟ ହୋଇଛି। ଡି‌ସେମ୍ବର ୩୦-୩୧ ମଧ୍ୟରେ ଦିଲ୍ଲୀରେ ଜିନୋମ ସିକ୍ବେନ୍ସିଂ କରାଯାଇଥିବା ନମୁନାରୁ ୮୪ ପ୍ରତିଶତ ଓମିକ୍ରନ୍‌ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ଦିଲ୍ଲୀରେ ଆଜି ପ୍ରାୟ ୪,୧୦୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହା ସାଢ଼େ ୭ ମାସରେ ସର୍ବାଧିକ । ପଜିଟିଭ୍‌ ହାର ୬.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଯଦି ପଜିଟିଭ୍‌ ହାର ୨ ଦିନ ଧରି ୫ ପ୍ରତିଶତ ଉପରେ ରହେ ତେବେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧୀନରେ ନୂଆ କଟକଣା ଲାଗୁ ହେବ । ଏବେ ଦିଲ୍ଳୀରେ ‌ୟେଲୋ ଆଲର୍ଟ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଦିଲ୍ଲୀରେ ସଂକ୍ରମଣ ମାମଲା ୩,୧୯୪ ଥିଲା ଏବଂ ପଜିଟିଭ୍‌ ହାର ୪.୫ ପ୍ରତିଶତ ଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟ କରିବାପାଇଁ ଅନୁରୋଧ କରିଛନ୍ତି। ତେବେ ଅଧିକାଂଶ ସଂକ୍ରମଣ ସ୍ବାଭାବିକ ‌ରହୁଛି ବୋଲି ସେ କହିଛନ୍ତି। ଦିଲ୍ଲୀରେ ଟେଷ୍ଟ କରାଯାଇଥିବା ୧୮୭ ନମୁନାରୁ ୧୫୨ଟି (୮୧) ପ୍ରତିଶତ ଓମିକ୍ରନ୍‌ ଓ ୮.୫ ପ୍ରତିଶତ ଡେଲ୍‌ଟା।

ସମ୍ବନ୍ଧିତ ଖବର