ତୃତୀୟ ଲହର ଭୟଙ୍କର ମୋଡ଼ ନେଉଛି: ଗବେଷକ

ହାଇଦ୍ରାବାଦ: ଜୁଲାଇ ୪ରେ ତୃତୀୟ ଲହର ଆରମ୍ଭ ହେବା ନେଇ ପୂର୍ବାନୁମାନ କରିଥିବା ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା କୁଳପତି ଏବଂ ବିଖ୍ୟାତ ପଦାର୍ଥବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ କହିଛନ୍ତି ଯେ କୋଭିଡ୍-୧୯ ସାରା ଦେଶରେ ଏବେ ଏକ ଭୟଙ୍କର ମୋଡ଼ ନେଉଛି। ଦୈନିକ ମୃତ୍ୟୁର ତଥ୍ୟକୁ ନେଇ ଡ. ଶ୍ରୀବାସ୍ତବ ଯେଉଁ କୋଭିଡ୍‌-୧୯ କର୍ଭ ବା ଗ୍ରାଫ୍ ପ୍ରସ୍ତୁତ କରିଛନ୍ତି, ତାହା ଏବେ ଦୁଇ ସପ୍ତାହ ହେଲା ଅଧିକ ଖରାପ ହେବାର ଜଣାଯାଇଛି। ଡିଡିଏଲ୍‌ ପଜିଟିଭ୍ ମୂଲ୍ୟ ଆଡ଼କୁ ଅଧିକ ଘୁଞ୍ଚିଛି, ଯାହା କି ବାଞ୍ଛନୀୟ ନୁହେଁ। ଜୁଲାଇ ୨୪ରୁ ଅଗଷ୍ଟ ୭ ଏହି ୧୫ ଦିନ ଭିତରେ ଏହା ୧୦ଟି ମାମଲାରେ ପଜିଟିଭ୍ ହୋଇଥିଲା ବେଳେ ପରବର୍ତ୍ତୀ ୧୦ ଦିନ ଭିତରେ ୭ ଗୁଣ ଅଧିକ ପଜିଟିଭ୍ ହୋଇଥିଲା। ଏହାର ଅର୍ଥ ହେଉଛି, ସରକାରୀ ତଥ୍ୟ ଯାହା ବି ହେଉ ନାହା କାହିଁକି, ତୃତୀୟ ଲହର ଅଧିକ ଖରାପ ହେବାକୁ ଆରମ୍ଭ କରିଛି।

ଡ. ବିପିନ ମଧ୍ୟ ଜନସଂଖ୍ୟାର ଦୁଇତୃତୀୟାଂଶଙ୍କ ଭିତରେ ସେରୋପଜିଟିଭିଟି ଥିବା ସତ୍ତ୍ବେ ଦେଶରେ ଗୋଷ୍ଠୀ ପ୍ରତିରୋଧକତାକୁ ଅସ୍ବୀକାର କରିଛନ୍ତି। ତେବେ ଉଦ୍‌ବେଗର କାରଣ ହେଲା, ଜୁଲାଇ ୪ ପରଠାରୁ ଡିଡିଏଲ୍‌ରେ ବ୍ୟାପକ ପରିବର୍ତ୍ତନ ଘଟିବା। ଦେଖାଯାଇଛି ଯେ, ଯେତେବେଳେ ଦୃଶ୍ୟପଟରେ ପରିବର୍ତ୍ତନ ଘଟେ ବା ମୃତ୍ୟୁସଂଖ୍ୟା କମିବା ଧାରାରୁ ବଢ଼ିବା ଧାରାକୁ ବା ବଢ଼ିବା ଧାରାରୁ କମିବା ଧାରାକୁ ଆସେ, ସେତେବେଳେ ଏଭଳି ଘଟେ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ମୃତ୍ୟୁସଂଖ୍ୟାରେ ପୂର୍ବାପେକ୍ଷା ଅଧିକ ହ୍ରାସବୃଦ୍ଧି ଘଟୁଥିଲେ ମଧ୍ୟ ମାସେ ପରେ ବି ତାହା ସ୍ଥିରାବସ୍ଥାକୁ ଆସୁ ନାହିଁ। ଏହାର କାରଣ ବିଷୟରେ ଡ. ବିପିନ କହିଛନ୍ତି ଯେ, ସରକାରୀ ତଥ୍ୟ ଠିକ୍ ନ ରହିବା ଏହାର ଅନ୍ୟତମ କାରଣ ହୋଇପାରେ। ପ୍ରଥମ ଲହର ପରେ ଯେଉଁ ମୃତ୍ୟୁ ହୋଇଥିଲା, ତାହାର ସରକାରୀ ସଂଖ୍ୟା ବାରମ୍ବାର ସଂଶୋଧନ କରାଯାଇଥିଲା। ସଂଖ୍ୟା ବା ତଥ୍ୟରେ ଏହି ଅନିଶ୍ଚିତତା ଦ୍ବିତୀୟ ଲହରରେ ଅଧିକ ବୃଦ୍ଧି ପାଇଥିଲା।

ପଦାର୍ଥବିଜ୍ଞାନୀ ଜଣକ କହିଛନ୍ତି ଯେ, ଯେତେବେଳେ ୨୪ ଘଣ୍ଟାରେ ନୂତନ ସଂକ୍ରମଣ ମାମଲା ଲକ୍ଷରେ ଚାଲୁଥିଲା, ସେତେବେଳେ ଆରୋଗ୍ୟ ସଂଖ୍ୟା ବି ଲକ୍ଷରେ ଚାଲୁଥିଲା। ତା’ପରେ ନୂତନ ସଂକ୍ରମଣ ହଜାରରେ ଚାଲିଲା ବେଳେ ଆରୋଗ୍ୟ ସଂଖ୍ୟା ବି ହଜାରରେ ଚାଲିଲା। ଏହି ଅନୁପାତକୁ ପେସେଣ୍ଟ ଲୋଡ୍ ବୋଲି କୁହାଯାଏ (ଆରୋଗ୍ୟ ହେଉଥିବା ରୋଗୀ ପିଛା କେତେ ନୂଆ ରୋଗୀ ଯୋଡ଼ା ହେଉଛନ୍ତି), ଯାହା ୧ ପାଖାପାଖି ରହୁଥିଲା। ଏହି ଅନୁପାତ ସର୍ବାଧିକ ୨.୨ ହୋଇଥିଲା, ଯେତେବେଳେ ମାର୍ଚ୍ଚ ୯ରୁ ମେ ୬ ଭିତରେ ଦ୍ବିତୀୟ ଲହରରେ ମୃତ୍ୟୁସଂଖ୍ୟା ହୁହୁ ବଢ଼ୁଥିଲା। ଡ. ବିପିନ କହିଛନ୍ତି ଯେ, ସମ୍ପ୍ରତି ଦୈନିକ ମୃତ୍ୟୁସଂଖ୍ୟା ୫୦୦ ପାଖାପାଖି ରହୁଥିଲେ ମଧ୍ୟ ୨୪ ଘଣ୍ଟାରେ ଆରୋଗ୍ୟ ସଂଖ୍ୟାଠାରୁ ନୂତନ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି। ତେଣୁ କୋଭିଡ୍‌-୧୯ର ବିପଜ୍ଜନକତା ବ୍ୟାପକ ହୋଇଛି। ସାରା ଦେଶର ଉପଲବ୍ଧ ତଥ୍ୟରୁ ଡିଡିଏଲ୍‌କୁ ଫେଡ଼ିଲେ ଏବେ ବି ଫଳ ଯୁକ୍ତାତ୍ମକ ରହିବା ଚିନ୍ତାଜନକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର