ନୂଆଦିଲ୍ଲୀ: ଆସନ୍ତା କିଛିଦିନ ମଧ୍ୟରେ ଦେଶରେ କୋଭିଡ୍ ସଂକ୍ରମଣ ପ୍ରବଳ ହେବ। ଅତ୍ୟନ୍ତ ସଂକ୍ରାମକ ଓମିକ୍ରନ୍ ପ୍ରଜାତି ଯୋଗୁଁ ଦେଶରେ ତୃତୀୟ ଲହରରେ ଦ୍ରୁତ ସଂକ୍ରମଣ ହେବ । ତେବେ ସଂକ୍ରମଣ ବିସ୍ଫୋରକ ହେଲେ ମଧ୍ୟ ଏହା ଏହା ଖୁବ୍ କମ୍ ଦିନ ପାଇଁ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଜଜ୍ ବିଜନେସ ସ୍କୁଲ୍ର ପ୍ରଫେସର ପଲ୍ କଟ୍ଟୁମନ କହିଛନ୍ତି, ଚଳିତ ସପ୍ତାହ କିମ୍ବା ଆଗାମୀ ସପ୍ତାହରେ ଦେଶରେ ସଂକ୍ରମଣ ଅଚାନକ ଯଥେଷ୍ଟ ବୃଦ୍ଧି ହୋଇପାରେ। ତେବେ ସଂକ୍ରମଣ କିଭଳି ଭାବେ ବଢ଼ିବ ତାହା ଆକଳନ କରିବା କଷ୍ଟଦାୟକ। କଟ୍ଟୁମନ ଏବଂ ତାଙ୍କ ବିଶେଷଜ୍ଞ ଦଳ ଭାରତରେ ଅଚାନକ ସଂକ୍ରମଣ ବୃଦ୍ଧି ଉପରେ ନଜର ରଖିଛନ୍ତି। ଡିସେମ୍ବର ୨୪ ସୁଦ୍ଧା ଦେଶରେ ୬ଟି ରାଜ୍ୟର ସ୍ଥିତି ଚିନ୍ତାଜନକ ହୋଇପାରେ ବୋଲି ଉକ୍ତ ଟିମ୍ ଆକଳନ କରିଥିଲା। କିନ୍ତୁ ଡିସେମ୍ବର ୨୬ ବେଳକୁ ଏହା ୧୧ କୁ ବୃଦ୍ଧି ପାଇଥିଲା।
ଅନ୍ୟପକ୍ଷେ ୩୪.୮ ନିୟୁତ ସଂକ୍ରମଣ ଏବଂ ୪୮୦,୨୯୦ କରୋନା ମୃତ୍ୟୁ ସହ ଦେଶ ଆଉ ଏକ ସଂକ୍ରମଣ ପର୍ଯ୍ୟାୟକର ମୁକାବିଲା ପାଇଁ ପ୍ରସ୍ତୁତ ଅଛି। ଦେଶରେ ଏଯାବତ ୬୫୩ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି।
ନୂଆଦିଲ୍ଲୀ : ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ‘ପ୍ରିକସନ୍ ଡୋଜ୍’ ତଥା ‘ବୁଷ୍ଟର ଡୋଜ୍’ ନେବାପାଇଁ ଡାକ୍ତର ସାର୍ଟିଫିକେଟ୍ ଦେଖାଇବା ଆବଶ୍ୟକ ନାହିଁ। ବିପଦ ଶ୍ରେଣୀରେ ଅଛନ୍ତି ବୋଲି ପ୍ରମାଣ କରିବାକୁ ସେମାନଙ୍କୁ ଡାକ୍ତର ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ ନାହିଁ। ତଥା ବୁଷ୍ଟର ଡୋଜ୍ ନେବାପାଇଁ ସେମାନେ ଯୋଗ୍ୟ ବୋଲି ପ୍ରମାଣ ଦେବାପାଇଁ ଡାକ୍ତର ସାର୍ଟିଫିକେଟ୍ର କୌଣସି ଆବଶ୍ୟକତା ନାହିଁ ବୋଲି ଆଜି ସରକାର ସ୍ପଷ୍ଟ କରିଛନ୍ତି। ମେଡିକାଲ କର୍ମଚାରୀ , ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀ ଏବଂ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ବରିଷ୍ଠ ନାଗରିକ ଜାନୁଆରି ୧୦ରୁ ବୁଷ୍ଟର ଡୋଜ୍ ନେଇପାରିବେ। ଓମିକ୍ରନ୍ ଆତଙ୍କ ମଧ୍ୟରେ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ଆରମ୍ଭ କରିବାପାଇଁ ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏକ ବିବୃତି ଜାରି କରି କହିଛନ୍ତି, ବୁଷ୍ଟର ଡୋଜ୍ ନେବାପାଇଁ ଯୋଗ୍ୟ ବୋଲି ପ୍ରମାଣ କରିବାକୁ ଡାକ୍ତର ସାର୍ଟିଫିକେଟ୍ର ଆବଶ୍ୟକତା ନାହିଁ। ଜାନୁଆରି ୩ରୁ ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ଉଭୟ କୋୱିନ୍ ଦ୍ବାରା ଅନ୍ଲାଇନ୍ ପଂଜିକରଣ ଏବଂ ୱାକ୍ ଇନ୍ରେ ଏଥିପାଇଁ ଅନୁମତି ମିଳିବ। ନିର୍ବାଚନ ଡ୍ୟୁଟିରେ ଯେଉଁମାନେ ରହିବେ ସେମାନଙ୍କୁ ଆଗ ଧାଡ଼ିର ସ୍ବାସ୍ଥ୍ୟକର୍ମୀ ଭାବେ ବିବେଚନା କରାଯିବ ଏବଂ ସେମାନେ ବୁଷ୍ଟର ଡୋଜ୍ ନେବାପାଇଁ ଯୋଗ୍ୟ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।