ଆମେରିକାର ଆଶଙ୍କା: ଚୀନ୍‌ର ଶାନ୍ତି ପ୍ରସ୍ତାବକୁ ବିଶ୍ବ ସମର୍ଥନ କରିପାରେ

ୱାସିଂଟନ: ମସ୍କୋରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ବାଇଡେନ ପ୍ରଶାସନକୁ ଅଡ଼ୁଆରେ ପକାଇଛି। କାରଣ ଆମେରିକାର ଦୁଇ ବିରୋଧୀ ନେତା ୟୁକ୍ରେନ୍ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ବୋଲି ପ୍ରଚାର ହୋଇଛି, ଯାହା ବାଇଡେନ ପ୍ରଶାସନ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଚୀନ୍‌ର ଶାନ୍ତି ପ୍ରସ୍ତାବକୁ ଆମେରିକୀୟ ଅଧିକାରୀମାନେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଚୀନ୍‌ର ଯୁଦ୍ଧ ବିରତି ପ୍ରସ୍ତାବ ମସ୍କୋର ଅଧିକୃତ ଅଞ୍ଚଳ ଉପରେ ତା’ର ଅଧିକାରକୁ ଆହୁରି ସୁଦୃଢ଼ କରିବ। ଜନୈକ ମାର୍କିନ ଅଧିକାରୀଙ୍କ କହିବା ଅନୁସାରେ, ଚୀନ୍‌ର ଶାନ୍ତି ପ୍ରସ୍ତାବ ପରେ ଆମେରିକା ନିଜକୁ କୋଣଠେସା ହୋଇଯିବା ପରି ଅନୁଭବ କରୁଛି। ଏବେ ଯଦି ଆମେରିକା ଚୀନ୍‌ର ଶାନ୍ତି ପ୍ରସ୍ତାବକୁ ଅସ୍ବୀକାର କରେ ତେବେ ଚୀନ୍ କହିବ ଯେ, ଆମେରିକା ଯୁଦ୍ଧ ବନ୍ଦ ହେଉ ବୋଲି ଚାହୁନାହିଁ। ୱାସିଂଟନ ଶାନ୍ତିର ବିରୋଧୀ। ସାରା ବିଶ୍ବରେ ୟୁକ୍ରେନ୍ ଯୁଦ୍ଧ ଯୋଗୁ ଯେଉଁ ଆର୍ଥିକ କ୍ଷତି ହୋଇଛି ସେଥିପାଇଁ ଆମେରିକା ଦାୟୀ ବୋଲି ଅନ୍ୟ ଦେଶମାନେ ମନେ କରିବେ।

ପେଣ୍ଟାଗନର ଜନୈକ ପୂର୍ବତନ ଅଧିକାରୀ ବୋନି ଲିନ କହିଛନ୍ତି, ଏ ପରିସ୍ଥିତିରେ ଆମେରିକାର ଚିନ୍ତା ବଢ଼ିଯାଇଛି। ଚୀନ୍‌ର କୂଟନୀତି ଆଗରେ ଆମେରିକା ହାରିଯାଇଥିବା ପରି ମନେହେଉଛି। ସି ଜିନପିଙ୍ଗଙ୍କ ତିନିଦିନିଆ ମସ୍କୋ ଗସ୍ତ ଆମେରିକା ପାଇଁ ଏହି ପରିସ୍ଥିତି ସୃଷ୍ଟି କରିଛି। ୟୁକ୍ରେନ୍ ଯୁଦ୍ଧ ଆରମ୍ଭରୁ ବାଇଡେନ ପ୍ରଶାସନ ଚୀନ୍‌କୁ ଆଡ଼ କରି ରଖିବାକୁ ଚେଷ୍ଟା କରିଆସିଛି। କିନ୍ତୁ ଏବେ ତାହା ଓଲଟା ହେବା ଦେଖାଯାଉଛି। ଜିନପିଙ୍ଗ ଓ ପୁଟିନ ଅଧିକ ଘନିଷ୍ଠ ହେଉଥିଲେ ମଧ୍ୟ ଚୀନ୍ ଏବେ ତା’ର କୂଟନୀତି ପାଇଁ ବିଶ୍ବବାସୀଙ୍କ ପାଖରେ ଅଧିକ ଗ୍ରହଣୀୟ ହୋଇପଡ଼ିଛି। ଏବେ ଆମେରିକାର ପକ୍ଷ ନେବାକୁ ଅନେକ ଦେଶ ରାଜି ନୁହନ୍ତି ବୋଲି ଏକ ସିନେଟ ବୈଠକରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଥିଲେ।

ସମ୍ବନ୍ଧିତ ଖବର