ଦେଶର ଆଇନ ବ୍ୟବସ୍ଥାକୁ ଭାରତୀୟକରଣ କରିବା ସମୟ ଆସିଯାଇଛି: ପ୍ରଧାନ ବିଚାରପତି

ବେଙ୍ଗାଲୁରୁ: ଭାରତୀୟ ଆଇନ ବ୍ୟବସ୍ଥା ଏବେ ବି ଉପନିବେଶ ଢାଞ୍ଚାରେ ରହିଛି ଏବଂ ଏହାକୁ ଅଧିକ ସୁଲଭ ଏବଂ ପ୍ରଭାବୀ କରିବା ପାଇଁ ଏହାର ଭାରତୀୟକରଣ ଜରୁରୀ ବୋଲି ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି। ଆମ ଆଇନ ବ୍ୟବସ୍ଥା ସରଳ ନଥିବାରୁ ଯଥେଷ୍ଟ ସମସ୍ୟା ଆସୁଛି ଏବଂ ଏହା ପ୍ରମୁଖ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

ଭାରତରେ ବର୍ତ୍ତମାନ ପ୍ରଚଳିତ ନ୍ୟାୟ ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ଅନେକ ପ୍ରତିବନ୍ଧକ ସୃଷ୍ଟି କରୁଛି । ଅଦାଲତର କାର୍ଯ୍ୟପ୍ରଣାଳୀ ଏବଂ ପ୍ରକ୍ରିୟା ଫଳପ୍ରଦ ଆଇନ ସେବା ଯୋଗାଇବାରେ ପର୍ଯ୍ୟାପ୍ତ ହେଉନାହିଁ। ମୋଟାମୋଟି ଭାବେ ଉପନିବେଶ ଢାଞ୍ଚାରେ ରହିଥିବା ଏହି ବ୍ୟବସ୍ଥା ବର୍ତ୍ତମାନର ଭାରତୀୟ ଜନସଂଖ୍ୟା ଏବଂ ଆବଶ୍ୟକତା ସହିତ ଖାପ ଖୁଆଇ ପାରୁନାହିଁ। ସୁପ୍ରିମ୍‌ କୋର୍ଟର ଦିବଙ୍ଗତ ବିଚାରପତି ମୋହନ ଏମ୍‌ ଶାନ୍ତନଗୌଦରଙ୍କ ପାଇଁ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଯୋଗଦେଇ ପ୍ରଧାନ ବିଚାରପତି ଏହା କହିଛନ୍ତି। ସମାଜର ବ୍ୟବହାରିକ ବାସ୍ତବତା ଏବଂ ଲୋକଙ୍କ ପାଇଁ ଅନୁକୂଳ ହେବାଭଳି ନ୍ୟାୟ ବ୍ୟବସ୍ଥା ସୃଷ୍ଟି କରିବାକୁ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଛନ୍ତି। ଅଦାଲତର ଦଲିଲକୁ ସାଧାରଣ ଲୋକେ ବୁଝିପାରୁ ନାହାନ୍ତି ଏବଂ ଏଥିରେ ଇଂରାଜୀ ଭାଷାର ପ୍ରାଧାନ୍ୟ ରହିଥିବାରୁ ବଡ଼ ସମସ୍ୟା ଉପୁଜୁଛି। ତେଣୁ ନ୍ୟାୟ ବ୍ୟବସ୍ଥାର ଭାରତୀୟକରଣ ହିଁ ଉତ୍ତମ ପନ୍ଥା ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର