ନୂଆଦିଲ୍ଲୀ : ଇତିହାସ ରଚିଛି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ବର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ପ୍ରଥମ ଦେଶର ଗୌରବ ଅର୍ଜନ କରିଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରୁ ସାମିଲ ହୋଇ ଇସ୍ରୋର ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତର ମହାକାଶ ଅଭିଯାନ କେବଳ ଚନ୍ଦ୍ରରେ ସୀମିତ ରହିବନି ବରଂ ଏହା ସୌରମଣ୍ଡଳର ସୀମା ପର୍ଯ୍ୟନ୍ତ ଯିବ ବୋଲି କହିଛନ୍ତି। ଏଥିସହ ଆମେ ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ ପାଇଁ ଆଦିତ୍ୟ ଏଲ-୧ ମିସନ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ ଅଭିହିତ କରିଛନ୍ତି।
ଇସ୍ରୋ ଗତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ପ୍ରେରଣ କରିଥିଲା ଓ ଅତ୍ୟନ୍ତ ସାବଧାନତାର ସହ ଏହାର ପ୍ରତିଟି ଗତିବିଧି ଉପରେ ନଜର ରଖିଥିଲା । ଏହା ଭାରତର ୩ୟ ଚନ୍ଦ୍ର ମିସନ । ଏହା ପୂର୍ବରୁ ୨୦୦୮ରେ ଚନ୍ଦ୍ରଯାନ-୧ ଓ ୨୦୧୯ରେ ଚନ୍ଦ୍ରଯାନ-୨ ପ୍ରେରଣ କରିଥିଲା ଇସ୍ରୋ।
୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ଚନ୍ଦ୍ରଯାନ-୧ର ଉତକ୍ଷେପଣ କରିଥିଲା। ଏହା ଥିଲା ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ। ଚନ୍ଦ୍ରଯାନ-୧ ଏକ କକ୍ଷପଥ ଅଭିଯାନ ଥିଲା। ଅର୍ଥାତ୍ ଏହାର କାମ କେବଳ ଚନ୍ଦ୍ରଚାରିପଟେ ବୁଲିବା ଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ଜଳ ଅଣୁ ଆବିଷ୍କାର କରିଥିଲା । ଇସ୍ରୋ ୨୦୧୯ରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ଉତ୍ପତ୍ତି ଓ ବିକାଶକୁ ବୁଝିବା ପାଇଁ ଏକ ବିସ୍ତୃତ ଅଧ୍ୟୟନ । ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଲ୍ୟାଣ୍ଡର ଅବତରଣ କରିବାର ଥିଲା, କିନ୍ତୁ ୭ ସେପ୍ଟେମ୍ବର ୨୦୧୯ରେ ଲ୍ୟାଣ୍ଡର ବିକ୍ରମ କ୍ରାସ୍ ଲ୍ୟାଣ୍ଡିଂ କରିବା ହେତୁ ଏହାର ସ୍ଥଳ ନିୟନ୍ତ୍ରଣ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତେବେ ଚନ୍ଦ୍ରଯାନ-୨ ଅର୍ବିଟର ଏବେ ବି କାର୍ଯ୍ୟକ୍ଷମ ରହିଛି ଏବଂ ଚନ୍ଦ୍ର ବିଷୟରେ ତଥ୍ୟ ଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/WhatsApp-Image-2023-08-23-at-18.06.00.jpeg)