ବକ୍ସାର: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ିମାଳାକୁ ଆଗ ବାଟ ଛାଡ଼ିବା ପାଇଁ ବୁଧବାର ବିହାରର ବକ୍ସାର ଜିଲ୍ଲାରେ ଦୁଇଟି ଟ୍ରେନ୍କୁ ୧୫ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଲା। ନୀତୀଶ କୁମାର ପୁଲିସ ଲାଇନରୁ ବକ୍ସରସ୍ଥିତ ଏକ ଗେଷ୍ଟାହାଉସ୍କୁ ଯାଉଥିଲେ। ତାଙ୍କ ଗାଡ଼ିମାଳା ଏକ ରେଲୱେ କ୍ରସିଂ ଦେଇ ଯିବାର ଥିବାରୁ ଦୁଇଟି ଟ୍ରେନ୍- ପାଟନା-ବକ୍ସର ଲୋକାଲ ଓ କାମାକ୍ଷା ଏକ୍ସପ୍ରେସ୍କୁ ଦୁଇ ପାର୍ଶ୍ବରେ ଆଉଟର ସିଗ୍ନାଲ ପାଖରେ ଅଟକାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳା ଅତିକ୍ରମ କରିବା ପାଇଁ ଟ୍ରେନ୍ ଦୁଇଟିକୁ ୧୫ ମିନିଟ୍ ଠିଆ ହୋଇ ରହିବାକୁ ପଡ଼ିଥିଲା। ଏହାଦ୍ବାରା ସାଧାରଣ ଯାତ୍ରୀମାନେ ହଇରାଣ ହୋଇଥିଲେ। ଅନେକ ଯାତ୍ରୀ ଯେଉଁମାନେ ପରବର୍ତ୍ତୀ ଷ୍ଟେସନରେ ଓହ୍ଲାଇବା କଥା, ସେମାନେ ବାଧ୍ୟ ହୋଇ ଟ୍ରେନ୍ରୁ ଓହ୍ଲାଇ ଚାଲିଚାଲି ଯିବାର ଦେଖାଯାଇଥିଲା। କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ‘ସମାଧାନ ଯାତ୍ରା’ କରୁନାହାନ୍ତି ବରଂ ‘ବାଧା ସୃଷ୍ଟିକାରୀ ଯାତ୍ରା’ କରୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp