ୱାସିଂଟନ: ମହାକାଶରେ ତ୍ରିରଙ୍ଗା ଉଡ଼ାଇବାକୁ ଭାରତ ଏବେ ପୁଣି ଥରେ ପ୍ରସ୍ତୁତ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏହି ଭାରତୀୟ ଗୌରବର ବାହକ ହେବେ। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍କୁ ଉଡ଼ାଣ ଭରିବା ପାଇଁ ମିସନ୍ ଆକ୍ସିୟମ୍-୪ର ପରିଚାଳନା ଭାର ମଧ୍ୟ ଶୁଭାଂଶୁଙ୍କ ହାତରେ ରହିବ। ଆକ୍ସିୟମ୍-୪ ମିସନ୍ ଅଧୀନରେ ଡ୍ରାଗନ୍ ମହକାଶ ଯାନ ଆଗାମୀ ୧୦ ତାରିଖ ମଙ୍ଗଳବାର ସକାଳେ ଆମେରିକାରୁ ଅନ୍ତର୍ଜାତୀୟ
ମହାକାଶ ଷ୍ଟେସନ୍ ଅଭିମୁଖେ ଉଡ଼ାଣ ଭରିବ। ଭାରତୀୟ ସମୟ ସକାଳ ୬ଟା୧୨ ମିନିଟରେ ଏହି ଅଭିଯାନ ଆରମ୍ଭ ହେବ। ଏହି ମିସନ୍ ପାଇଁ ‘ନାସା’ର କେନେଡି ସ୍ପେସ୍ ସେଣ୍ଟରରେ ସ୍ପେସ୍ ଏକ୍ସ ଡ୍ରାଗନ୍ ମହାକାଶଯାନ ପହଞ୍ଚି ସାରିଛି ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ଏଏକ୍ସ-୪ ଉତ୍କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି।
୧୦ରେ ଉଡ଼ାଣ ଭରିବ ସ୍ପେସ୍ ଏକ୍ସ ଡ୍ରାଗନ୍
ଏହି ମିସନ୍ ଆମେରିକା, ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀର ୪ ଜଣ ମହାକାଶଚାରୀଙ୍କୁ ୧୪ଦିନିଆ ଡକିଂ ଅଭିଯାନ ପାଇଁ ପୃଥିବୀର ନିମ୍ନ କକ୍ଷପଥକୁ ନେଇଯିବ। ଏହି ଅବସରରେ ବିଭିନ୍ନ ପରୀକ୍ଷଣ ହେବାକୁ ଥିବା ବେଳେ ସେଥିମଧ୍ୟରୁ ୭ଟି ଇସ୍ରୋ ଦ୍ୱାରା କରାଯିବ। ଭାରତ, ପୋଲାଣ୍ଡ ଓ ହଙ୍ଗେରୀ ପ୍ରଥମ ଥର ପାଇଁ ଆଇଏସ୍ଏସ୍ ମିସନ୍ରେ ଯାଉଥିବାରୁ ଏହା ଉପରେ ପୂରା ବିଶ୍ବର ନଜର ରହିଛି। ଇସ୍ରୋ ଆକ୍ସିୟମ୍-୪ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ଅଭିଯାନରେ ୭ଟି ମାଇକ୍ରୋଗ୍ରାଭିଟି ଗବେଷଣା ପରୀକ୍ଷଣ କରିବ। ମାଇକ୍ରୋଗ୍ରାଭିଟି ଗବେଷଣା କ୍ଷେତ୍ର ମାନବ ସ୍ୱାସ୍ଥ୍ୟ, ଭୌତିକ/ ଜୀବବିଜ୍ଞାନ, ପଦାର୍ଥ ଗବେଷଣା, ଅଭିନବ ଔଷଧ ବିକାଶ ଏବଂ ବାୟୋଟେକ୍ନୋଲୋଜି ପରି ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ପ୍ରୟୋଗ ସହିତ ଜାତୀୟ ବୈଜ୍ଞାନିକ ସମୁଦାୟକୁ ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରେ।
ଶୁଭାଂଶୁ ଶୁକ୍ଳା ହେଉଛନ୍ତି ଭାରତୀୟ ବାୟୁସେନାର ଜଣେ ପ୍ରତିଷ୍ଠିତ ପାଇଲଟ୍। ଇସ୍ରୋର ଐତିହାସିକ ଗଗନଯାନ ଅଭିଯାନ (ଦେଶର ପ୍ରଥମ ମାନବ ମହାକାଶ ଉଡ଼ାଣ ପ୍ରୟାସ) ପାଇଁ ତାଙ୍କୁ ୪ ଜଣ ମହାକାଶଚାରୀଙ୍କ ମଧ୍ୟରୁ ଅନ୍ୟତମ ଭାବେ ମନୋନୀତ କରାଯାଇଛି। ୨୦୨୭ ପାଇଁ ଯୋଜନା କରାଯାଇଥିବା ଗଗନଯାନ ମିସନ୍ରେ ଶୁକ୍ଳାଙ୍କ ଅଭିଜ୍ଞତାକୁ ଉପଯୋଗ କରାଯିବ। ଆଇଏସ୍ଏସ୍କୁ ଆକ୍ସି -୪ ବାଣିଜ୍ୟିକ ଅଭିଯାନର ମିସନ୍ ପାଇଲଟ୍ ଶୁକ୍ଳାଙ୍କ ସହ ‘ନାସା’ର ପୂର୍ବତନ ମହାକାଶଚାରୀ ତଥା ମିସନ୍ କମାଣ୍ଡର ପେଗି ହ୍ୱିଟ୍ସନ, ହଙ୍ଗେରୀର ବିଶେଷଜ୍ଞ ଟିବୋର କାପୁ ଏବଂ ପୋଲାଣ୍ଡର ସ୍ଲାଭୋସ୍ ଉଜନାନସ୍କି-ୱିସ୍ନିଉସ୍କି ସାମିଲ ହେବେ।