୨ ଦିନିଆ ଭାରତ ବନ୍ଦରେ ଜୀବନଯାତ୍ରା ପ୍ରଭାବିତ: ବ୍ୟାଙ୍କିଂ, ପରିବହନ ସେବା ବାଧାପ୍ରାପ୍ତ

ପଶ୍ଚମବଙ୍ଗ, ତ୍ରିପୁରା, କେରଳରେ ଅଧିକ ପ୍ରଭାବ, କର୍ମଚାରୀଙ୍କୁ ଧର୍ମଘଟରୁ ବାରଣ ପାଇଁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଡାକରା ଦିଆଯାଇଥିବା ୨ ଦିନିଆ ଦେଶବ୍ୟାପୀ ଧର୍ମଘଟ ଆଜିଠାରୁ ଆରମ୍ଭ ହୋଇଛି। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତିକୁ ବିରୋଧ କରି ଏହି ଭାରତ ବନ୍ଦ କରାଯାଉଛି। ଏଥିଯୋଗୁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କିଂ ଠାରୁ ଆରମ୍ଭ କରି ପରିବହନ ସେବା ଆଂଶିକ ବନ୍ଦ ହୋଇଛି। ଫଳରେ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି, ଟିୟୁସିସି, ଏସଇବିଏ, ଏଆଇସିସିଟିୟୁ, ଏଲ୍‌ପିଏଫ୍‌ ଏବଂ ୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ବନ୍ଦ ଡାକାରରେ ସାମିଲ ହୋଇଛନ୍ତି। ଧର୍ମଘଟରେ ୨୦ କୋଟି ଶ୍ରମିକ ଯୋଗ ଦେଇଛନ୍ତି ବୋଲି ଦାବି କରାରଯାଇଛି। ଦେଶରେ ବନ୍ଦ ପାଳନର ସବୁଠୁ ଅଧିକ ପ୍ରଭାବ କେରଳ ଏବଂ ପଶ୍ଚିମବଙ୍ଗରେ ପଡ଼ିଛି। ଅତ୍ୟାବଶ୍ୟକ ସେବା ପ୍ରଭାବିତ ହୋଇ ନଥିଲେ ମଧ୍ୟ କୋଇଲା, ଟେଲିକମ, ବନ୍ଦର, ପେଟ୍ରୋଲିୟମ, ‌ଷ୍ଟିଲ, ସିମେଣ୍ଟ, ଶକ୍ତି ଆଦି କ୍ଷେତ୍ରର ଶ୍ରମିକମାନେ ଦେଶର ବିଭିନ୍ନ ସ୍ଥାନରେ ଧର୍ମଘଟ କରିଛନ୍ତି। ଅନେକ ସଂଖ୍ୟାରେ ଅଙ୍ଗନବାଡ଼ି, ଆଶା ଏବଂ ଅନ୍ୟ ସରକାରୀ ଯୋଜନାର କର୍ମୀମାନେ ଏଥିରେ ଭାଗ ନେଇଛନ୍ତି।

ଦିଲ୍ଲୀ, ଗୁଜରାଟ, ହିମାଚଳ ପ୍ରଦେଶ ଆଦି ରାଜ୍ୟର ଶିଳ୍ପାଞ୍ଚଳଗୁଡ଼ିକରେ ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି। ଅନେକ ସ୍ଥାନରେ ଆନ୍ଦୋଳନରତ କର୍ମଚାରୀମାନେ ପିକେଟିଂ କରି କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଅନେକ ରାଜ୍ୟରେ ଧର୍ମଘଟ ବନ୍ଦର ରୂପ ନେଇଛି। ବିଶେଷକରି ପଶ୍ଚିମବଙ୍ଗ, ତ୍ରିପୁରା ସମେତ ତାମିଲନାଡ଼ୁ, ହରିୟାଣା, ପଶ୍ଚିମବଙ୍ଗ, ଆସାମରେ ଉଭୟ ସରକାରୀ ଓ ଘରୋଇ ପରିବହନ ସେବା ଠପ୍ ହୋଇଯାଇଛି ବୋଲି ସିଟୁର ସାଧାରଣ ସମ୍ପାଦକ ତପନ ସେନ କହିଛନ୍ତି। ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ ହରିୟାଣାର ସୂତାକଳ କର୍ମଚାରୀମାନେ ସଂପୂର୍ଣ୍ଣ ଭାବେ ଧର୍ମଘଟରେ ସାମିଲ ହୋଇଛନ୍ତି। କୋଇଲା ଉତ୍ପାଦନ ଓ ପରିବହନ ବ୍ୟାହତ ହୋଇଛି। ଧର୍ମଘଟ ଯୋଗୁ ଇସ୍ପାତ ଉତ୍ପାଦନ ପ୍ରଭାବିତ ହୋଇଛି।

କର୍ମଚାରୀଙ୍କୁ ଧର୍ମଘଟରୁ ବାରଣ ପାଇଁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ଦୁଇଦିନିଆ ଧର୍ମଘଟ ଆଜିଠାରୁ ଆରମ୍ଭ ହୋଇଥିବାବେଳେ କେରଳ ‌ହାଇକୋର୍ଟ ଆଜି ଏହି ମର୍ମରେ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ କେରଳ ସରକାରଙ୍କୁ ଦେଇଛନ୍ତି। ସରକାରୀ କର୍ମଚାରୀମାନେ ‌କାର୍ଯ୍ୟରୁ ଯେଭଳି ବିରତ ନରହିବେ ସେଥିପାଇଁ ତୁରନ୍ତ ନିର୍ଦ୍ଦେଶନାମା ଜାରି କରିବା ପାଇଁ ହାଇକୋର୍ଟ ରାଜ୍ୟର ଏଲ୍‌ଡିଏଫ୍‌ ସରକାରଙ୍କୁ କହିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌ ମଣିକୁମାର ଏବଂ ବିଚାରପତି ଶାଜି ପି ଚଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଜନସ୍ବାର୍ଥ ମାମଲା ଚନ୍ଦ୍ର ଚୁଡେନ୍ ନାୟାର ଏସ୍‌ଙ୍କ ଦ୍ବାରା କରାଯାଇଛି। ଚାକିରି ନିୟମ ଅନୁଯାୟୀ କର୍ମଚାରୀଙ୍କୁ ଧର୍ମଘଟରୁ ବାରଣ କରାଯାଇଛି। ତେଣୁ ଧର୍ମଘଟରେ ସାମିଲ ହେବା ବେଆଇନ ବୋଲି ଆବେଦନକାରୀଙ୍କ ଓକିଲ ସଜିଥ କୁମାର ଭି କହିଛନ୍ତି।

ସମ୍ବନ୍ଧିତ ଖବର