ରୋଚକ ସ୍ଥିତିରେ ଆମେରିକା ନିର୍ବାଚନ: ଗଣତି ଜାରି, ବିଶ୍ବବ୍ୟାପୀ ଉତ୍କଣ୍ଠା

ବାଇଡେନ୍‌ଙ୍କୁ ୨୨୭, ଟ୍ରମ୍ପ୍‌ଙ୍କୁ ୨୧୩ ଇଲେକ୍ଟୋରାଲ ଭୋଟ୍‌

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ସମଗ୍ର ବିଶ୍ବ ଉତ୍କଣ୍ଠାର ସହ ଅପେକ୍ଷା କରିଛି। ତେବେ ଏଥର ଆମେରିକାରେ ଜଟିଳ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଏବଂ ପ୍ରାୟ ୧୦ କୋଟି ଭୋଟର୍‌ ପୋଷ୍ଟାଲ ଇ-ବ୍ୟାଲଟ୍‌ ଦ୍ବାରା ମତଦାନ କରିଥିବାରୁ ଚୂଡ଼ାନ୍ତ ପରିଣାମ ଆସିବାରେ ବିଳମ୍ବ ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ପରିଣାମରୁ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଅଗ୍ରଣୀ ଥିଲେ ମଧ୍ୟ ରିପବ୍ଳିକାନ୍‌ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ନିର୍ବାଚନରେ ନିଜର ବିଜୟ ଘୋଷଣା କରିଛନ୍ତି। ଗଣତି ସରିବା ପୂର୍ବରୁ ଟ୍ରମ୍ପ୍‌ଙ୍କ ଏଭଳି ପଦକ୍ଷେପ ବିଭିନ୍ନ ମହଲକୁ ବିସ୍ମିତ କରିଛି। କେତେକ ରାଜ୍ୟରେ ‘ଭୋଟ୍‌ ଜାଲିଆତି’ ହୋଇଥିବା ଅଭିଯୋଗ ଆଣି ଟ୍ରମ୍ପ୍‌ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅଦାଲତ ପ୍ରକ୍ରିୟାରେ ଛନ୍ଦି ହୋଇଯିବା ଆଶଙ୍କା ମଧ୍ୟ ରହିଛି।

ଗଣତି ସରିବା ପୂର୍ବରୁ ଟ୍ରମ୍ପ୍‌ଙ୍କ ବିଜୟ ଘୋଷଣା ମାମଲା ଅଦାଲତକୁ ଯିବ

ଆଜି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହେବାମାତ୍ରେ ଗଣତି ତ୍ବରାନ୍ବିତ ହୋଇଥିଲା। ଉପଲବ୍ଧ ତଥ୍ୟ ମୁତାବକ ଜୋ ବାଇଡେନ୍‌ ୨୨୭ଟି ଇଲେକ୍ଟୋରାଲ ଭୋଟ୍‌ ପାଇଥିବା ବେଳେ ଡୋନାଲ୍‌ଡ ଟ୍ରମ୍ପ୍‌ ୨୧୩ଟି ଭୋଟ୍‌ ହାସଲ କରିଛନ୍ତି। ତେବେ ଚୂଡ଼ାନ୍ତ ପରିଣାମ ସଂପୂର୍ଣ୍ଣ ଭିନ୍ନ ହୋଇପାରେ। ମୋଟ୍‌ ଇଲେକ୍ଟୋରାଲ ଭୋଟ୍‌ ୫୩୮ ରହିଥିବା ବେଳେ ରାଷ୍ଟ୍ରପତି ନିର୍ବାଚିତ ହେବା ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୨୭୦। ପ୍ରମୁଖ ରାଜ୍ୟ ‌ଫ୍ଲୋରିଡା, ଓହିଓ, ପେନ୍‌ସିଲଭାନିଆ, ମିଚିଗାନ୍‌, ନର୍ଥକାରୋଲିନାରେ ଟ୍ରମ୍ପ୍‌ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ୱିସ୍‌କନ୍‌ସିନ୍‌ରେ ବିଡେନ୍‌ ଆଗୁଆ ଅଛନ୍ତି।
ଆମେରିକା ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ୧୦ କୋଟି ଭୋଟର୍‌ ମେଲ୍‌ ମାଧ୍ୟମରେ ଭୋଟ୍‌ ଦେଇଛନ୍ତି। ଏଥର ନିର୍ବାଚନରେ ୧୬ କୋଟି ଭୋଟର୍‌ ପଂଜୀକରଣ କରାଇଥିଲେ। ଅନେକ ରାଜ୍ୟରେ କେବଳ ୩ ନଭେମ୍ବରରେ ଲୋକେ ଦେଇଥିବା ଭୋଟ୍‌ ଗଣତି ହୋଇଛି ଏବଂ ମେଲ୍‌-ଇନ୍‌ ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଏଭଳି ସ୍ଥିତିରେ ବର୍ତ୍ତମାନର ଭୋଟ୍‌ ଗଣତିକୁ ଚୂଡ଼ାନ୍ତ ଭାବେ ଧରି ନେଇ ଟ୍ରମ୍ପ୍‌ ନିଜର ବିଜୟ ଘୋଷଣା କରିଥିବା ବେଳେ ବାଇଡେନ୍‌ ମଧ୍ୟ ନିଜର ବିଜୟ ନେଇ ଦୃଢ଼ ନିଶ୍ଚିତ ବୋଲି ଘୋଷଣା କରିଛନ୍ତି। ଆଜି ହ୍ବାଇଟ୍‌ ହାଉସ୍‌ରେ ଉଦ୍‌ବୋଧନ ଦେଇ ଟ୍ରମ୍ପ୍‌ କହିଛନ୍ତି ଯେ ନିର୍ବାଚନ ପରିଣାମ ଅଭୂତପୂର୍ବ ରହିଛି ଏବଂ ବିଜୟ ସୁନିଶ୍ଚିତ ହୋଇଯାଇଛି। ତେବେ ବିରୋଧୀମାନେ ଆମ ବିଜୟକୁ ହଡ଼ପ କରିନେବାକୁ ଉଦ୍ୟମ କରୁଛନ୍ତି। ଫ୍ଲୋରିଡାରେ ବିଶାଳ ବିଜୟ ମିଳିଛି ଏବଂ ଜନସାଧାରଣ ଏକ ବଡ଼ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ନିର୍ବାଚନରେ ହୋଇଥିବା ଅନିୟମିତତା ବିରୋଧରେ ଆମେ ସୁପ୍ରିମ୍‌ କୋର୍ଟରେ ମକଦ୍ଦମା କରିବୁ ବୋଲି ଟ୍ରମ୍ପ୍‌ କହିଛନ୍ତି। ସେ କହିଛନ୍ତି ଯେ ଅନିୟମିତତା ଦୃଷ୍ଟିରୁ ଗଣତି ତୁରନ୍ତ ବନ୍ଦ ହୋଇଯିବା ଆବଶ୍ୟକ। ତେବେ ଟ୍ରମ୍ପ୍‌ଙ୍କ ଏଭଳି ପଦକ୍ଷେପ ଅଗଣତାନ୍ତ୍ରିକ ଏବଂ ଜନମତର ଅପମାନ ବୋଲି ଡେମୋକ୍ରାଟିକ୍‌ ପାର୍ଟି କହିଛି।

ସମ୍ବନ୍ଧିତ ଖବର