କାବୁଲରୁ ଆମେରିକାର ଉଦ୍ଧାର ପ୍ରକ୍ରିୟା ଶେଷ: ଉଡ଼ାଣ କଟକଣା ଲଗାଇଲା ତାଲିବାନ

ଭାରତୀୟ ବାୟୁସେନାର ବିମାନ ଫେରିଲା

କାବୁଲ: ଆତଙ୍କବାଦୀଙ୍କ ଦ୍ବାରା ତୁହାକୁ ତୁହା ରକେଟ୍‌ ଆକ୍ରମଣ ଏବଂ ଆମେରିକା ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ ଭିତରେ ଆଜି କାବୁଲରୁ ଆମେରିକା ସେନା ଉଦ୍ଧାର ପ୍ରକ୍ରିୟା ଶେଷ କରିଛି। ସମସ୍ତ କୂଟନୈତିକ କର୍ମଚାରୀ ଏବଂ ତାଲିକାଭୁକ୍ତ ନାଗରିକଙ୍କୁ ଆମେରିକା ଖାଲି କରାଇ ନେଇଥିବା ବେଳେ ଆଜି ରାତିରେ ଶେଷ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛି। ଯେ କୌଣସି ମୁହୂର୍ତ୍ତରେ ଆତଙ୍କବାଦୀଙ୍କ ଆଡ଼ୁ ବଡ଼ ଆକ୍ରମଣ ଆଶଙ୍କା ବଳବତ୍ତର ରହିଥିବାରୁ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ହୋଇଛି। ବିମାନ ବନ୍ଦରରେ ୩ଟି ମୁଖ୍ୟ ପ୍ରବେଶ ପଥକୁ ଗତକାଲିଠାରୁ ନିଜ ନିୟନ୍ତ୍ରଣକୁ ନେଇଥିବା ତାଲିବାନ ଆଜି ସମଗ୍ର ବିମାନ ବନ୍ଦରକୁ କବ୍‌ଜା କରିଛି। ଏଥିପାଇଁ ଆମେରିକା ସେନା ମଧ୍ୟ ତାଲିବାନକୁ ସମସ୍ତ ସହାୟତା କରିଛି। ସାମରିକ ଜୋନ୍‌ରୁ ଏଣିକି କୌଣସି ବିମାନ ତାଲିବାନର ବିନା ଅନୁମୋଦନରେ ଉଡ଼ାଣ କରିପାରିବ ନାହିଁ ବୋଲି ଘୋଷଣା କରାଯାଇଛି। ଉଡ଼ାଣ ଉପରେ ତାଲିବାନ କଟକଣା ଜାରି କରିବା ସହ ଏଣିକି ଲୋକଙ୍କୁ ଖାଲି କରିବା ପ୍ରକ୍ରିୟା ତାଲିବାନର କଡ଼ା ଯାଞ୍ଚ ବ୍ୟବସ୍ଥା ଭିତରେ ହିଁ ହେବ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।

ଅଗଷ୍ଟ ୧୪ରୁ ଆଜି ପର୍ଯ୍ୟନ୍ତ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ୧ ଲକ୍ଷ ୧୭ ହଜାର ଲୋକଙ୍କୁ ଖାଲି କରାଇଛନ୍ତି। ଆଜି ଶେଷ ପର୍ଯ୍ୟାୟରେ ୧୨ ସହ ଲୋକଙ୍କୁ କାବୁଲରୁ ସ୍ଥାନାନ୍ତର କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପ୍ରବକ୍ତା କହିଛନ୍ତି। ବ୍ରିନେଟ୍‌, ଫ୍ରାନ୍ସ, ଜର୍ମାନୀ ଆଦି ରାଷ୍ଟ୍ର ଉଦ୍ଧାର ପ୍ରକ୍ରିୟା‌ ଗତକାଲିଠାରୁ ଶେଷ କରିଛନ୍ତି। ଅନ୍ୟପକ୍ଷରେ ରୁଷ୍‌ କହିଛି ଯେ ଆଫଗାନିସ୍ତାନରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ହୋଇଛି ଏବଂ ଏଥିପାଇଁ ତାଲିବାନର ମଧ୍ୟ ସମ୍ମତି ଅଛି। ଭାରତ ସରକାର ଉଦ୍ଧାର କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କାବୁଲରେ ମୁତୟନ ଥିବା ଭାରତୀୟ ବାୟୁସେନାର ସି-୧୭ ଏବଂ ସି-୧୩୦ଜେ ବିମାନ ଆଜି ଭାରତ ଫେରି ଆସିଛି। କାବୁଲରେ ଏବେ ବି ୫୦ରୁ ଅଧିକ ଭାରତୀୟ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର