ଡେରାଡୁନ: ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)ର ଡ୍ରାଫ୍ଟ (ଚିଠା) ପ୍ରସ୍ତୁତ କରିବା ପାଇଁ ଗଠିତ କମିଟି ଶୁକ୍ରବାର ଡେରାଡୁନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛି। ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୁଖ୍ୟ ସେବକ ସଦନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧାମିଙ୍କୁ ୟୁସିସି ଡ୍ରାଫ୍ଟ ପ୍ରଦାନ କରିଥିଲେ। ଡ୍ରାଫ୍ଟ ଦାଖଲ ପୂର୍ବରୁ ଧାମିଙ୍କ ସରକାରୀ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଉତ୍ତରାଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ୪ ଦିନିଆ ଅଧିବେଶନ ଫେବ୍ରୁଆରି ୫ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ୟୁସିସି ଉପରେ ଆଇନ ପ୍ରଣୟନ କରାଯିବ। ଶନିବାର କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ଏହାକୁ ଅନୁମୋଦନ କରିବେ। ଫେବ୍ରୁଆରି ୬ ତାରିଖରେ ଏହି ଡ୍ରାଫ୍ଟକୁ ବିଲ୍ ଆକାରରେ ଗୃହରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ଏହା କାର୍ଯ୍ୟକାରୀ ହେଲେ ଉତ୍ତରାଖଣ୍ଡ ସ୍ୱାଧୀନତା ପରେ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସିକୁ ଗ୍ରହଣ କରିବ। ଏକ ଟ୍ୱିଟ୍ କରି ଧାମି କହିଛନ୍ତି ଯେ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ, କାରଣ ୟୁସିସି ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ।

Advertisment

ଜଷ୍ଟିସ ଦେଶାଇଙ୍କ ଅଧ୍ୟକ୍ଷତାରେ ୟୁସିସିର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ମେ ୨୦୨୨ରେ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଥିଲା। ଅବସରପ୍ରାପ୍ତ ବିଚାରପତି ପ୍ରମୋଦ କୋହଲି, ସାମାଜିକ କର୍ମୀ ମନୁ ଗୌର, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂହ ଏବଂ ଡୁନ୍ ବିଶ୍ୱବିଦ୍ୟାଳୟର କୁଳପତି ସୁରେଖା ଡାଙ୍ଗଓ୍ୱାଲଙ୍କୁ ନେଇ ଗଠିତ ୟୁସିସି ଡ୍ରାଫ୍ଟିଂ କମିଟିର ମୋଟ ୪ଟି ଅବଧି ବୃଦ୍ଧି କରାଯାଇଥିଲା। ୟୁସିସି ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ବିବାହ, ଛାଡ଼ପତ୍ର, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଇନ ପାଇଁ ଏକ ଆଇନଗତ ଢାଞ୍ଚା ପ୍ରଦାନ କରିବ। ୟୁସିସି ଲାଗୁ ହେଲେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟବାସୀଙ୍କୁ ଦେଇଥିବା ଏକ ପ୍ରମୁଖ ପ୍ରତିଶ୍ରୁତି ପୂରଣ କରିବ, ଯାହାକୁ ନେଇ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଜେପି ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଥିଲା। ବିଜେପିର ବିଜୟ ପରେ ଧାମି ସରକାର ମାର୍ଚ୍ଚ ୨୦୨୨ରେ ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ୟୁସିସି ପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରିବା ନିମନ୍ତେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ।