ଲଢ଼େଇ ପାଇଁ ନାଗରିକଙ୍କୁ ଆହ୍ବାନ ଦେଲେ ୟୁକ୍ରେନ୍‌ ରାଷ୍ଟ୍ରପତି: କୌଣସି ସ୍ଥିତିରେ ବି ଆତ୍ମସମର୍ପଣ କରିବୁ ନାହିଁ

କିବ୍‌: ରୁଷ୍‌ର ଆକ୍ରମଣ ପରେ ୟୁକ୍ରେନ୍‌ ରାଷ୍ଟ୍ରପତି ‌ବୋଲ୍‌ଡିମିର ଜେଲେନସ୍କି ୟୁକ୍ରେନ୍‌ର ନାଗରିକଙ୍କୁ ଯୁଦ୍ଧ ପାଇଁ ଆହ୍ବାନ ଦେଇଛନ୍ତି। ‌ଜେଲେନସ୍କି କହିଛନ୍ତି, ଯେଉଁ ନାଗରିକମାନେ ରୁଷ୍‌ କବଳରୁ ଦେଶକୁ ସୁରକ୍ଷା ଦେବାପାଇଁ ପ୍ରସ୍ତୁତ ଅଛନ୍ତି ସେମାନେ ଲଢ଼େଇ ପାଇଁ ଆଗକୁ ବାହାରନ୍ତୁ। ଯେଉଁମାନେ ଅସ୍ତ୍ର ଚାହୁଛନ୍ତି ସେମାନଙ୍କୁ ଅସ୍ତ୍ର ଦିଆଯିବ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି। ରୁଷ୍‌ ୟୁକ୍ରେନ୍‌ ଉପରେ ଆଜି ସବୁଆଡ଼ୁ ଆକ୍ରମଣ ଆରମ୍ଭ କରିଦେଇଛି। ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ୟୁରୋପ୍‌ରେ ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ର ଅନ୍ୟ ଏକ ରା‌ଷ୍ଟ୍ର ବିରୋଧରେ ଏଭଳି ବିଶାଳ ଆକ୍ରମଣ କରିଛି। ଅନ୍ୟପ‌କ୍ଷେ ରୁଷ୍‌ ନାଗରିକମାନେ ଯୁଦ୍ଧକୁ ବିରୋଧ କରି ଆନ୍ଦୋଳନ କରିବାପାଇଁ ଜେଲେନସ୍କି ଅନୁରୋଧ କରିଛନ୍ତି। ଆଜି ଏକ ମିଡିଆ ସମ୍ମିଳନୀରେ ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି ଯେ ରୁଷ୍‌ ସହିତ ଥିବା ସମସ୍ତ କୂଟନୈତିକ ସଂପର୍କକୁ ଆମେ ଛିନ୍ନ କରିଛୁ ଏବଂ ରୁଷ୍‌ ଆମ ସାର୍ବଭୌମତ୍ବକୁ ସମ୍ମାନ ଦେଇନଥିବାରୁ ଆମେ ମଧ୍ୟ ଏହାର କଡ଼ା ଜବାବ ଦେବୁ। ୟୁକ୍ରେନ୍‌କୁ ସମସ୍ତ ଦାୟିତ୍ବସଂପନ୍ନ ରାଷ୍ଟ୍ର ସହଯୋଗର ହାତ ବଢ଼ାଇବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ନିବେଦନ କରିଛନ୍ତି। ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରୟାସ ଜାରି ରହିଛି ଏବଂ ରୁଷ୍‌ ସେନାର ଆମେ ଯଥୋଚିତ ମୁକାବିଲା କରିବୁ ବୋଲି ଜେଲେନସ୍କି କହିଛନ୍ତି।

ସମ୍ବନ୍ଧିତ ଖବର