ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ ଇମର୍ଜେନ୍ସି ଗେଟ୍ ଖୋଲିଦେବା ମାମଲାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବୟାନ ରଖିଛନ୍ତି। ସିନ୍ଧିଆ କହିଛନ୍ତି, ତେଜସ୍ବୀ ଭୁଲ୍ରେ ଇମର୍ଜେନ୍ସି ଗେଟ୍ ଖୋଲିଦେଇଥିଲେ ଏବଂ ଏଥିପାଇଁ ସେ ପ୍ରଥମରୁ କ୍ଷମା ପ୍ରାର୍ଥନା କରିଛନ୍ତି। ୨୦୨୨ ଡିସେମ୍ବର ୧୦ ତାରିଖରେ ଇଣ୍ଡିଗୋର ଏକ ବିମାନ ଚେନ୍ନାଇରୁ ତିରୁଚିରାପଲ୍ଲୀ ଯାଉଥିବା ବେଳେ ଏହା ଘଟିଥିଲା। ବିମାନରେ ବିଜେପି ସାଂସଦ ତେଜସ୍ବୀଙ୍କ ସହିତ ତାମିଲନାଡ଼ୁ ବିଜେପି ସଭାପତି ଆନ୍ନାମଲାଇ ମଧ୍ୟ ଥିଲେ। ଇଣ୍ଡିଗୋର ବୟାନ ଅନୁସାରେ ଜଣେ ଯାତ୍ରୀ ବୋର୍ଡିଂ ସମୟରେ ବିମାନର ଜରୁରୀକାଳୀନ ଦ୍ବାର ଖୋଲି ଦେଇଥିଲେ ଏବଂ ଭୁଲ୍ବଶତଃ ଏଭଳି କରିଦେଇଥିବାରୁ ତୁରନ୍ତ କ୍ଷମା ପ୍ରାର୍ଥନା କରିଥିଲେ।
ତେବେ ନିର୍ଦ୍ଧାରିତ ନିୟମ ମୁତାବକ ଏହି ଘଟଣା ପରେ ବିମାନର ବାଧ୍ୟତାମୂଳକ ଯାଞ୍ଚ ହୋଇଥିଲା ଏବଂ ଏଥିପାଇଁ ଉଡ଼ାଣରେ ବିଳମ୍ବ ହୋଇଥିଲା।ଏହି ଘଟଣାର ଏକ ମାସ ପରେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ଏ ସଂକ୍ରାନ୍ତ ତଥ୍ୟ ରଖି ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ ହିଁ ଗେଟ୍ ଖୋଲିଥିବା କହିଥିଲେ। ଭୁଲ୍ବଶତଃ ଏଭଳି ଘଟିବା ପରେ ଉଡ଼ାଣ ନୀତି ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ଯାଞ୍ଚ ପରେ ବିମାନକୁ ପୁଣି ଉଡ଼ାଣ ଅନୁମତି ମଳିଥିଲା ବୋଲି ସେ କହିଛନ୍ତି। ତେବେ ଏହି ମାମଲାକୁ ନେଇ ବିରୋଧୀ ଦଳମାନେ ତେଜସ୍ବୀଙ୍କୁ ଟାର୍ଗେଟ୍ କରିବା ସହ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଲାନାହିଁ ବୋଲି ପ୍ରଶ୍ନ କରିଛନ୍ତି।