ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍) ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କରିବା ସହ ସେମାନଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।
ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣରେ ଡିବିଟି ପ୍ରଚଳନକୁ ପ୍ରଶଂସା କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ସରକାର ଆସିବା ପରେ ପାରଦର୍ଶୀ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପରେ ନଗଦ ଅର୍ଥକୁ ଲାଭାର୍ଥୀଙ୍କ ସିଧାସଳଖ ବ୍ୟାଙ୍କ ଖାତାରେ ଦେବା ପାଇଁ ଯୋଜନା ହୋଇଛି। ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନାରେ ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ । ଏହି ଯୋଜନା ଆମର ଯୁବବର୍ଗଙ୍କ ପାଇଁ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଷ୍ଟାଇପେଣ୍ଡ୍ ବିତରଣରେ ସ୍ୱଚ୍ଛତା ବା ପାରଦର୍ଶୀକୁ ସୁନିଶ୍ଚିତ କରିବ। ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷ ଯୁବକ ଯୁବତୀମାନେ ଏହାର ଲାଭାର୍ଥୀ ହୋଇଥିବା ବେଳେ ଚଳିତବର୍ଷ ଅତିରିକ୍ତ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ଏଥିରେ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।