ଭୁବନେଶ୍ବର: ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ-୨୦୨୩ ଭୁବନେଶ୍ୱର-ରାଉରକେଲା ଟ୍ରଫି ଆଜି ନୂଆଦିଲ୍ଲୀରେ ପହଞ୍ଚିଛି । ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍‌ରେ ହକି ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ୱକପ୍‌ ଟ୍ରଫିକୁ ଅନାବରଣ କରିଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର । ଏହି ଅବସରରେ ୧୯୭୫ ବିଶ୍ୱକପ ବିଜେତା ହକି ଦଳର ସଦସ୍ୟ ଅଜିତ ପାଲ ସିଂ, ଅଶୋକ ଧ୍ୟାନଚାନ୍ଦ, ବ୍ରିଗେଡିୟର ଏଚ୍‌ଜେଏସ୍‌ ଚିମନୀ, ପୂର୍ବତନ ଅଲିମ୍ପିୟାନ ହରବିନ୍ଦର ସିଂ, ପଦ୍ମଶ୍ରୀ ଜାଫର ଇକବାଲ, ବିନିତ କୁମାର (ଦିଲ୍ଲୀ ହକି ଉପସଭାପତି) ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ ଭାରତର ବିଭିନ୍ନ ସହରକୁ ବିଶ୍ୱକପ ହକିର ଟ୍ରଫି ନିଆଯିବା ଦ୍ବାରା ‘ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ-୨୦୨୩ ଭୁବନେଶ୍ୱର-ରାଉରକେଲା’ର ପ୍ରଚାରପ୍ରସାର ହୋଇପାରିବ। ବିଶ୍ୱକପ ଟ୍ରଫି ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ ଆଦି ସହର ବୁଲିବା ପରେ ଏବେ ଦିଲ୍ଲୀରେ ଆସି ପହଞ୍ଚିଛି। କିମ୍ବଦନ୍ତୀ ହକି ଖେଳାଳୀ ଓ ପ୍ରଶଂସକମାନଙ୍କ ଉପସ୍ଥିତିରେ ବିଶ୍ୱକପ ଟ୍ରଫି ଅନାବରଣ କରାଯିବା ଫଳରେ ଏହି କ୍ରୀଡ଼ାର ପ୍ରଚାରପ୍ରସାରରେ ସହାୟକ ହୋଇପାରିବ । ଶ୍ରୀ ଠାକୁର କହିଥିଲେ, ଅଲିମ୍ପିକ୍ସ ପରେ ବିଶ୍ୱକପ ହକି ଆଉ ଏକ ବଡ଼ କ୍ରୀଡ଼ା ପ୍ରତିଯୋଗିତା, ଏଫଆଇଏଚ ଓଡ଼ିଶା ହକି ବିଶ୍ୱକପକୁ ପ୍ରୋତ୍ସାହନ ଦେବା ଦିଗରେ ଆମେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛୁ।

ଜାନୁଆରୀ ୧୩, ୨୦୨୩ରୁ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେଉଛି । ୨୯ ଜାନୁଆରୀ ୨୦୨୩ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ ଟ୍ରଫି ଦେଶର ୧୩ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ବୁଲିବା ପରେ ଡିସେମ୍ବର ୨୫ ତାରିଖରେ ଓଡ଼ିଶାରେ ପହଞ୍ଚିବ। ଗତ ଡିସେମ୍ବର ୫ ତାରିଖ ଠାରୁ ଦେଶବ୍ୟାପୀ ହକି ବିଶ୍ୱକପ ଟ୍ରଫି ଟୁର ଆରମ୍ଭ ହୋଇଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ।