ଜାତିସଂଘ: ଦୁଇମାସ ତଳେ ହମାସର ଭୟଙ୍କର ଆକ୍ରମଣ ପରେ ଇସ୍ରାଏଲ ସେନା ହମାସକୁ ଧ୍ୱଂସ କରିବା ପାଇଁ ନିରନ୍ତର ଆକ୍ରମଣ ଜାରି ରଖିଥିବା ବେଳେ ଶୁକ୍ରବାର ଗାଜାରେ ଅସ୍ତ୍ରବିରତି ଡାକରା ଦେବା ପାଇଁ ଜାତିସଂଘର ପ୍ରୟାସକୁ ଆମେରିକା ଅଟକାଇ ଦେଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ଜାତିସଂଘ ଚାର୍ଟରର ଧାରା ୯୯କୁ ବ୍ୟବହାର କରି ତୁରନ୍ତ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେଇ ଏକ ଜରୁରିକାଳୀନ ସୁରକ୍ଷା ପରିଷଦ ବୈଠକ ଡକାଇଥିଲେ। ସେ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ହମାସକୁ ଅନୁରୋଧ କରିବା ସହ କହିଥିଲେ ଯେ, ହମାସ ଦ୍ୱାରା କରାଯାଇଥିବା ବର୍ବରତା ପାଲେଷ୍ଟାଇନ ଲୋକଙ୍କ ସାମୂହିକ ଦଣ୍ଡକୁ କେବେ ବି ଯୁକ୍ତିଯୁକ୍ତ କରିପାରିବ ନାହିଁ। କିନ୍ତୁ ଇସ୍ରାଏଲକୁ କୋଟି କୋଟି ଡଲାରର ସାମରିକ ସହାୟତା ଯୋଗାଉଥିବା ଆମେରିକା ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି। ଜାତିସଂଘରେ ଏହାର ଉପପ୍ରତିନିଧି ରବର୍ଟ ଉଡ୍ କହିଛନ୍ତି ଯେ ଏହା ବାସ୍ତବତାଠାରୁ ବହୁ ଦୂରରେ।
ହମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ସଂଘର୍ଷରେ ପାଲେଷ୍ଟାଇନ ଅଞ୍ଚଳରେ ୧୭,୪୮୭ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ଇସ୍ରାଏଲର ତଥ୍ୟ ଅନୁଯାୟୀ, ଅକ୍ଟୋବର ୭ ତାରିଖରେ ଆତଙ୍କବାଦୀମାନେ ଗାଜାର ସାମରିକ ସୀମା ଅତିକ୍ରମ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିବା ସହ ପ୍ରାୟ ୨୪୦ ଜଣଙ୍କୁ ଅପହରଣ କରିନେଇ ବନ୍ଧକ ରଖିଥିଲେ। ବର୍ତ୍ତମାନ ସୁଦ୍ଧା ୧୩୮ ଜଣ ହମାସ ପାଖରେ ବନ୍ଦୀ ଅଛନ୍ତି। ଗାଜାର ବିଶାଳ ଅଞ୍ଚଳ ଏବେ ଏକ ବର୍ଜ୍ୟଭୂମିରେ ପରିଣତ ହୋଇଛି। ଖାଦ୍ୟ, ଇନ୍ଧନ, ପାଣି ଓ ଔଷଧର ଘୋର ଅଭାବ ସହ ରୋଗ ବୃଦ୍ଧି ଯୋଗୁ ପ୍ରାୟ ୮୦ ପ୍ରତିଶତ ଲୋକ ବିସ୍ଥାପିତ ହୋଇଛନ୍ତି ବୋଲି ଜାତିସଂଘ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/sfhsfhfhhf.jpg)