ଆମେରିକାର ପ୍ରଥମ କରୋନା ଟିକା ନିରାପଦ ପ୍ରମାଣିତ

ୱାସିଂଟନ୍: ଆମେରିକାରେ ମନୁଷ୍ୟ ଶରୀରରେ ପ୍ରୟୋଗ ହେବାକୁ ଥିବା ପ୍ରଥମ କରୋନା ଟିକା ବେଶ୍ ନିରାପଦ ଓ ବିପଦମୁକ୍ତ ଜଣାପଡ଼ିଛିା ଏଥି ସହିତ ଏହା ଶରୀରରେ କରୋନାଭୂତାଣୁ ବିରୋଧରେ ପର୍ଯ୍ୟାପ୍ତ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ସକ୍ଷମ ବୋଲି ଏହାର ପ୍ରସ୍ତୁତକର୍ତ୍ତା ଆନ୍ତର୍ଜଜାତିକ ଔଷଧ କମ୍ପାନି ‘ମଡର୍ଣ୍ଣା’ ପକ୍ଷରୁ କହାଯାଇଛିା ଏହାର ନୈଦାନିକ ପରୀକ୍ଷଣ କ୍ରମେ ଗତ ମାର୍ଚ୍ଚ ମାସରୁ ଏହାର ଦୁଇଟି ମାତ୍ରା ଗ୍ରହଣ କରିଥିବା ପ୍ରଥମ ୮ ଜଣ ସ୍ବେଚ୍ଛାସେବୀଙ୍କ ଶାରୀରିକ ପରୀକ୍ଷାନିରୀକ୍ଷାରୁ ଏଭଳି ଆଶାନୁରୂପ ଫଳ ମିଳିପାରିଛି।

ସଂପୃକ୍ତ ସୁସ୍ଥ ସ୍ବେଚ୍ଛାସେବୀମାନଙ୍କ ରକ୍ତରେ ସୃଷ୍ଟି ହୋଇଥିବା ରୋଗପ୍ରତିରୋଧକ (ଆଣ୍ଟିବଡି)କୁ ପରୀକ୍ଷାଗାରରେ ତର୍ଜମା କଲା ବେଳେ ତାହା କରୋନାଭୂତାଣୁ ସାର୍ସ–କୋଭ୍-୨କୁ ବହୁଗୁଣିତ ହେବାରେ ରୋକିଥିବା ଜଣାଯାଇଛି। ଯାହା କି କୌଣସି ଟିକାର ପ୍ରମୁଖ ଗୁଣ ଅଟେ। ସେହିପରି ଚିକିତ୍ସା ପରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ଶରୀରରେ ବିକଶିତ ହୋଇଥିବା ରୋଗପ୍ରତିରୋଧକ ସହ ମଧ୍ୟ ଏହି ଟିକା ଦ୍ବାରା ସୃଷ୍ଟ ରୋଗପ୍ରତିରୋଧକର ଯଥେଷ୍ଟ ସାମଞ୍ଜସ୍ୟ ରହିଛି। ଏହି ପର୍ଯ୍ୟାୟରେ ଟିକାର ସାମାନ୍ୟ, ମଧ୍ୟମ ଓ ଭୀଷଣ– ଏହିପରି ଭାବେ ତିନିଟି ମାତ୍ରାକୁ ପ୍ରୟୋଗ କରାଯାଇଥିଲାା ସାମାନ୍ୟ ଓ ମଧ୍ୟମ ଧରଣ ମାତ୍ରାର ପ୍ରୟୋଗରୁ ଏଭଳି ଫଳାଫଳ ମିଳିପାରିଛି। ଏ ପରୀକ୍ଷଣରେ ସନ୍ତୁଷ୍ଟ ହୋଇ ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ ଉକ୍ତ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ମଡର୍ଣ୍ଣାକୁ ଅନୁମତି ଦେଇସାରିଛି।

ସମ୍ବନ୍ଧିତ ଖବର