ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପୁରୁଣା ତଥା ଆଧୁନିକ ଗଣତନ୍ତ୍ର ଆମେରିକାରେ ଏପରି ନିର୍ବାଚନ ପରିଚାଳିତ ହୋଇଛି ଯାହାକୁ ଅନ୍ତତଃ ଭାରତ ପରି ଗଣତନ୍ତ୍ରରେ ମୁକ୍ତ ଓ ନିରପେକ୍ଷ ବୋଲି କୁହାଯାଇପାରିବ ନାହିଁ। ଅପରପକ୍ଷେ, ଭାରତରେ ନିର୍ବାଚନକୁ ଏତେ ଉଚ୍ଚ ମାନର କରି ରଖାଯାଇଛି ଯେ ଏଠାର ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ କିଛି ଆଫ୍ରିକୀୟ ଦେଶରେ ନିଜର ବିଶ୍ବସନୀୟତା ଦେଖାଇବା ପାଇଁ ଆମନ୍ତ୍ରଣ କରାଯାଇଥାଏ। ଆମେରିକାରେ ନିର୍ବାଚନ ପରିଚାଳନାର ପ୍ରକ୍ରିୟା ହିଁ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ତାଙ୍କ ପ୍ରତିଦ୍ବନ୍ଦ୍ବୀ ରିପବ୍ଳିକାନ୍‌ ଦଳ ପ୍ରାର୍ଥୀ ତଥା ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଚ୍ୟାଲେଞ୍ଜ୍‌ କରିବାକୁ ବାଧ୍ୟ କରିଛି ଯାହା କି ବିବାଦୀୟ ହୋଇପଡ଼ିଛି। ଆମେରିକାରେ ନିର୍ବାଚନ ଦିବସର ଯଥେଷ୍ଟ ଆଗରୁ ହିଁ ମତଦାନ ଆରମ୍ଭ ହୋଇଯାଇଥାଏ ଏବଂ ତାହା ନିର୍ବାଚନ ଦିବସ ପରେ ମଧ୍ୟ ଚାଲୁ ରହିଥାଏ। ଆଉ ଏକ ବିଶେଷତ୍ବ ହେଲା ଡାକ ମାଧ୍ୟମରେ ମତଦାନ ପାଇଁ ଭୋଟରମାନେ ଆଗୁଆ ବାଲଟପେପର ଆହରଣ କରିପାରିବେ। ସୁତରାଂ ନ୍ୟର୍ଥସ୍ବାର୍ଥ ଗୋଷ୍ଠୀଙ୍କ ଦ୍ବାରା ଏଭଳି ବାଲଟପେପରଗୁଡ଼ିକର କିଣାବିକା, ଚୋରି ଅବା ନଷ୍ଟ ହେବା ଆଶଙ୍କା ରହିଛି। ସେହିପରି ନିର୍ବାଚନ ଦିନ ସାର୍ବଜନୀନ ଛୁଟି ଦିବସ ହୋଇନଥିବାରୁ ଗରିବ ଶ୍ରେଣୀର ଲୋକେ ଧାଡ଼ିରେ ଦୀର୍ଘ ଘଣ୍ଟା ଧରି ଛିଡ଼ାହେବାକୁ ପସନ୍ଦ କରିନଥାନ୍ତି। ଲକ୍ଷ ଲକ୍ଷ ସଂଖ୍ୟାରେ ପଡୁଥିବା ପୋଷ୍ଟାଲ ବାଲଟ୍‌କୁ କୌଣସି ପ୍ରକାର ନାକଚ କରିବା ପାଇଁ କିଛି ନୀତି ନିୟମ ନାହିଁ।

Advertisment

ଏବେ ଆମେରିକାର ୪ ଗୁଣ ଲୋକସଂଖ୍ୟା ବିଶିଷ୍ଟ ଭାରତରେ ପ୍ରଚଳିତ ନିର୍ବାଚନ ଶୈଳୀକୁ ବିଚାରକୁ ନିଆଯାଉ। ଦେଶର ବିଭିନ୍ନ ସ୍ତରରେ ଶାଖା ରହିଥିବା ନିର୍ବାଚନ ଆୟୋଗଙ୍କ କେନ୍ଦ୍ରୀୟ କାର୍ଯ୍ୟାଳୟ ହିଁ ଭୋଟର ତାଲିକାର ସଂରକ୍ଷକ ରହିଥାନ୍ତି। ଭୋଟର କିଏ ହେବେ, ତାହା ନିର୍ବାଚନ ଆୟୋଗଙ୍କ ଭଳି ସ୍ବାଧୀନ ସଂସ୍ଥା ନିଷ୍ପତ୍ତି ନେଇଥାନ୍ତି। ଏଠାରେ ନିର୍ବାଚନ ଦିନକୁ ଛୁଟି ଦିନ ଭାବେ ଘୋଷଣା କରାଯିବା ସହ ସେହିଦିନ ହିଁ ମତଦାନ ହୋଇଥାଏ। ଡାକ ମାଧ୍ୟମରେ ମତଦାନକୁ ଅନୁମତି ଦିଆଯାଇଥାଏ, ତେବେ ତାହା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଭୋଟରଙ୍କ ପାଇଁ ଏବଂ ଦେଶ ତମାମ ସମାନ ନିୟମ ପାଳନ କରାଯାଇଥାଏ। ମତଦାନଗୁଡ଼ିକ ସେହି ସମାନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ରେ ହିଁ ରେକର୍ଡ ହୋଇଥାଏ ଏବଂ ମାତ୍ରାଧିକ ସ୍ବଚ୍ଛତା ପାଇଁ ଜଣେ ଭୋଟର ଏକ ଭିଭିପ୍ୟାଟ୍‌ ପର୍ଚ୍ଚିରୁ ଅବିକଳ ମତଦାନ ଦେଖିପାରିଥାନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଭାରତର ବିଭିନ୍ନ ନିର୍ବାଚନମଣ୍ଡଳୀର ଭୋଟ ସଂପୃକ୍ତ ଜିଲ୍ଲା ସ୍ତରରେ କେଇ ଘଣ୍ଟା ଭିତରେ ଗଣତି ହୋଇଥାଏ। ତେଣୁ ଆମେରିକାକୁ ଭାରତ ଠାରୁ କିଛି ନିର୍ବାଚନ ସଂସ୍କାର ଶିଖିବାକୁ ହେବ ବୋଲି ବିଶେଷଜ୍ଞମାନଙ୍କ ମତ।