ଵାସିଂଟନ: ଦୁଇ ଦିନ ତଳେ କାଲିଫର୍ଣ୍ଣିଆର ରିଚାର୍ଡ ନିକ୍ସନ ପାଠାଗାରଠାରେ ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପେଓ ନିଜର ଅଭିଭାଷଣ ରଖିବା ଅବସରରେ ଚୀନ୍‌ର ଶାସକ କମ୍ୟୁନିଷ୍ଟ୍‌ ପାର୍ଟିକୁ ଏକ ଅସାଧୁ ଆନ୍ତର୍ଜାତିକ ଖେଳାଳି ଏବଂ ନିଜ ଦେଶ ପାଇଁ ନୃଶଂସ ଶାସକ ବୋଲି ଟିପ୍ପଣୀ ଦେଇ ଚୀନ୍‌ ସହ ଏକ ଶୀତଳ ଯୁଦ୍ଧର ନିଅଁ ଖୋଳିଛନ୍ତି। ୧୯୭୨ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଐତିହାସିକ ଚୀନ୍‌ ଗସ୍ତକୁ ସ୍ମରଣ କରି ପମ୍ପେଓ କହିଛନ୍ତି ଯେ ଚୀନୀମାନେ ଅଧିକ ସ୍ବାଧୀନତା ଉପଭୋଗ କରିବା ଲାଗି ନିକ୍ସନ ଯେଉଁ କଲ୍ପନା କରିଥିଲେ, ତାହା ଏଯାଏ ହାସଲ ହୋଇପାରିନି। ସମ୍ପ୍ରତି ଚୀନୀ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଦେଶରେ ଅଧିକ କ୍ଷମତା ଦଖଲ ସହ ନିଜ ହାତମୁଠାକୁ ଟାଣ କରି ଚାଲିଥିବା ବେଳେ ତାଙ୍କ ସରକାରର ମାନବୀୟ ଅଧିକାର ଉଲ୍ଲଂଘନର ବିଭିନ୍ନ ପ୍ରମାଣ ଦର୍ଶାଇ ପମ୍ପେଓ ଜିନ୍‌ପିଙ୍ଗଙ୍କ ସ୍ବେଚ୍ଛାଚାରିତା ବିରୋଧରେ ବିଶ୍ବ ସମୁଦାୟ ସ୍ବର ଉତ୍ତୋଳନ କରିବା ଲାଗି ଆହ୍ବାନ କରିଛନ୍ତି।

Advertisment

ସେହିପରି ରାଷ୍ଟ୍ରପତି ନିକ୍ସନ ଓ ତତ୍କାଳୀନ ବିଦେଶ ସଚିବ ହେନରି କିସିଞ୍ଜର ଆମେରିକା-ଭାରତ ସମ୍ପର୍କକୁ ଜଳାଞ୍ଜଳି ଦେଇ ବେଜିଂ ଶାସକଙ୍କୁ ସମର୍ଥନ କରିଥିଲେ ବୋଲି ପମ୍ପେଓ କହିଛନ୍ତି। ଫଳସ୍ବରୂପ ୧୯୭୧ରେ ପାକିସ୍ତାନ ବିଭାଜନ ପାଇଁ ଭାରତକୁ ଦାୟୀ କରି ଆମେରିକା ଏହାର ଯୁଦ୍ଧ ଜାହାଜଗୁଡ଼ିକୁ ଫେରାଇନେଇଥିଲା। ତେବେ ନିଜର ପୁରୁଣା ସାମରିକ ରେକର୍ଡରୁ କମ୍ୟୁନିଷ୍ଟମାନେ ସବୁବେଳେ ମିଛ କହନ୍ତି ବୋଲି ପମ୍ପେଓ କହିବା ସହ ଏଥିପାଇଁ ବିଶ୍ବାସ ନକରି ତନଖିବା ହିଁ ନୂତନ ମନ୍ତ୍ର ବୋଲି ଟିପ୍ପଣୀ କରିଛନ୍ତି। ଜିନ୍‌ପିଙ୍ଗ ନିଜ ଦେଶରେ ଏବଂ ବାହାରେ ଏପରି ଆତଙ୍କ ସୃଷ୍ଟି କରିବା ପାଇଁ ଠିକା ନେଇନାହାନ୍ତି। ଏହାର ପ୍ରତିବାଦ ପାଇଁ ସମଭାବାପନ୍ନ ଗଣତାନ୍ତ୍ରିତ ଦେଶମାନେ ନୂତନ ମେଣ୍ଟ କରିବାକୁ ପମ୍ପେଓ ଆହ୍ବାନ କରିଛନ୍ତି। ପରୋକ୍ଷରେ ସେ ଏପରି କହି ଚୀନ୍‌ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।