ୱାସିଂଟନ: ଦକ୍ଷିଣ ଏସିଆରେ ଏକଦା ଆମେରିକାର ସବୁଠାରୁ ଘନିଷ୍ଠ ଥିବା ପାକିସ୍ତାନ ଏବେ ଆଉ ଭରସାଯୋଗ୍ୟ ହୋଇ ରହିନାହିଁ। ଚୀନ୍ର ଇଙ୍ଗିତରେ ପରିଚାଳିତ ହେଉଥିବା ପାକିସ୍ତାନ ସହିତ ସଂପର୍କ ତୁଟାଇ ଏବେ ଆମେରିକା ଚୀନ୍ ସହିତ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ବିଗତ କିଛି ବର୍ଷ ମଧ୍ୟରେ ଭାରତ-ଆମେରିକା ସଂପର୍କ ଅତ୍ୟନ୍ତ ସୁଦୃଢ଼ ହୋଇଛି ଏବଂ ଉଭୟ ଦେଶ ସାମରିକ କ୍ଷେତ୍ରରେ ଘନିଷ୍ଠ ସହଯୋଗୀ ଭାବେ ଉଭା ହୋଇଛନ୍ତି। ଚୀନ୍ ସହ ଲଢ଼େଇରେ ଆମେରିକା ଭାରତ ଉପରେ ହିଁ ସର୍ବାଧିକ ଭରସା କରିବ ବୋଲି ଜଣାପଡ଼ିଛି। କେତେକ ପ୍ରସଙ୍ଗରେ ଆମେରିକା ସହ ଭାରତର ତୀବ୍ର ମତଭେଦ ଥିବା ସତ୍ତ୍ବେ ଦୁଇ ଦେଶ ଦ୍ବିପାକ୍ଷିକ ସଂପର୍କକୁ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି ଏବଂ ସବୁ କ୍ଷେତ୍ରରେ ବିଶ୍ବାସ ବୃଦ୍ଧି ପାଇଛି। ନିକଟରେ ପୂର୍ବ ଲଦାଖ୍ରେ ଚୀନ୍ର ଅତିକ୍ରମଣକୁ ଭାରତ କଡ଼ା ବିରୋଧ କରିଥିଲା ଏବଂ ଉଭୟ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ମାମଲାରେ ଆମେରିକା ଭାରତ ପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଜଣାଇଥିଲା।
ଚୀନ୍ ବିରୋଧରେ ଆମେରିକା ଆରମ୍ଭ କରିବାକୁ ଯାଉଥିବା ଲମ୍ବା ଯୁଦ୍ଧରେ ଭାରତ ଉପରେ ହିଁ ଅଧିକ ଭରସା କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ରହିଥିବା ବନ୍ଧୁତା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଭାରତ-ଆମେରିକା ସହଯୋଗ ବୃଦ୍ଧି ପାଉଛି । ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ କଠୋର ଚୀନ୍ ବିରୋଧୀ ଆଭିମୁଖ୍ୟ ଏବଂ ପାକିସ୍ତାନ ପ୍ରତି ବିଭିନ୍ନ କଟକଣା ଲାଗୁ ଭାରତ ପାଇଁ ଆଶୀର୍ବାଦ ଭଳି ହୋଇଛି । ଆମେରିକା ଏବେ ତା’ର ଅନ୍ୟ ପଶ୍ଚିମ ମିତ୍ରମାନଙ୍କ ଅପେକ୍ଷା ଭାରତକୁ ହିଁ ଅଧିକ ଭରସାଯୋଗ୍ୟ ବନ୍ଧୁ ରାଷ୍ଟ୍ର ଭାବେ ଗ୍ରହଣ କରୁଥିବାରୁ ଚୀନ୍ ଏଥିରେ ଆତଙ୍କିତ ହୋଇ ଭାରତ ଉପରେ ନାନା ଚାପ ସୃଷ୍ଟି କରିବାକୁ ଚାହୁଛି। ଆମେରିକା ଏବେ ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧାଭ୍ୟାସ କରୁଛି ଏବଂ ତାଇୱାନକୁ ବିପୁଳ ସାମରିକ ସହାୟତା ଯୋଗାଇ ଦେଇଛି।