ୱାସିଂଟନ: ଆମେରିକା ପୁଣି ବିଶ୍ବର ନେତୃତ୍ବ ନେବାକୁ ପ୍ରସ୍ତୁତ ହେଉଛି ଏବଂ ପୁଣି ଥରେ ଅନ୍ତର୍ଜାତୀୟ କୂଟନୀତିରେ ନିର୍ଣ୍ଣାୟକ ସ୍ଥିତିରେ ରହିବ ବୋଲି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଘୋଷଣା କରିଛନ୍ତି। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ‘ଆମେରିକା ପ୍ରଥମ’ ନୀତିର ପରିବର୍ତ୍ତନର ସୂଚନା ଦେଇ ବାଇଡେନ୍ କହିଛନ୍ତି ଆମେରିକା ପୁଣି ଥରେ ବିଶ୍ବର ନେତୃତ୍ବ ନେବାକୁ ଯାଉଛି। ଆମେରିକା ନିଜର ଶତୃମାନଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ଏବଂ ଆମେରିକା କେବେ ବି ନିଜ ସହଯୋଗୀମାନଙ୍କୁ ପ୍ରତ୍ୟାଖ୍ୟାନ କରିବ ନାହିଁ। ଆମେରିକା ନିଜର ମୂଲ୍ୟବୋଧ ସହ ସବୁଦିନ ପାଇଁ ରହିବ ବୋଲି ବାଇଡେନ୍ କହିଛନ୍ତି। ଆଜି ବାଇଡେନ୍ ନିଜର ପ୍ରମୁଖ ୬ ଜଣ ବରିଷ୍ଠ ଅଧିକାରୀମାନଙ୍କ ସମ୍ପର୍କରେ ସୂଚନା ଦେବା ଅବସରରେ ବିଶ୍ବ ନେତୃତ୍ବରେ ଆମେରିକାର ଗୁରୁତ୍ବପୂର୍ଣ୍ଣ ଭୂମିକା କଥା ଉଲ୍ଲେଖ କରିଥିଲେ। ଆମେରିକା ନିଜର ସହଯୋଗୀମାନଙ୍କୁ କେବେ ବି ପ୍ରତ୍ୟାଖ୍ୟାନ କରିବ ନାହିଁ। କରୋନା ମହାମାରୀ ମୁକାବିଲା ଏବଂ ଜଳବାୟୁ ପରିବର୍ତ୍ତନ ଆମେରିକା ପାଇଁ ବଡ଼ ଆହ୍ବାନ। ପ୍ରଶାନ୍ତ ମହାସାଗରୀୟ ଏବଂ ଆଟ୍ଲାଣ୍ଟିକ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଆମେରିକାର ବଡ଼ ଭୂମିକା ରହିବ ବୋଲି ବାଇଡେନ୍ କହିଛନ୍ତି। ବିଦେଶ ସଚିବ ଭାବେ ଆଣ୍ଟୋନି ବ୍ଲିଙ୍କେନ୍ଙ୍କୁ ନିଯୁକ୍ତି ମିଳିବା ପରେ ପୂର୍ବତନ ବିଦେଶ ସଚିବ ଜୋନ୍ କେରିଙ୍କୁ ଜଳବାୟୁ ପରିବର୍ତ୍ତନ ମାମଲାରେ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି। ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ‘ଆମେରିକା ପ୍ରଥମ’ ନୀତି ଯୋଗୁଁ ଆମେରିକା ବିଶ୍ବରେ ଏକୁଟିଆ ହୋଇଯାଇଥିଲା ବୋଲି ବାଇଡେନ୍ କହିଛନ୍ତି। ଟ୍ରମ୍ପ୍ଙ୍କ ଏହି ନୀତିକୁ ପ୍ରତ୍ୟାହାର କରି ଆମେରିକା ନିଜ ମିତ୍ରମାନଙ୍କ ସହ ମିଳିମିଶି କାମ କଲେ ବିଶ୍ବର ନେତୃତ୍ବ ନେଇପାରିବ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବେଜିଂ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଆଜି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ଦେଶ ମୁକାବିଲାତ୍ମକ ନୀତି ବର୍ଜନ କରି ଦ୍ବିପାକ୍ଷିକ ସଂପର୍କକୁ ସୁଦୃଢ଼ କରିବା ପାଇଁ ଜିନ୍ପିଙ୍ଗ୍ ଆହ୍ବାନ ଦେଇଛନ୍ତି। ଏ ଦିଗରେ ସକରାତ୍ମକ ନୀତିରେ କାମ ଆରମ୍ଭ କରିବା ଦିଗରେ ଉଭୟ ଦେଶ ଅଗ୍ରସର ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ ଉପରାଷ୍ଟ୍ରପତି ୱାଙ୍ଗ୍ କିସନ୍ ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ୍ଙ୍କୁ ନିର୍ବାଚନୀ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।