କାବୁଲ ଛାଡ଼ିବା ପୂର୍ବରୁ ୭୩ ବିମାନ ଅଚଳ କରିଦେଲା ଆମେରିକା: ଅଚଳ ବିମାନର ପରୀକ୍ଷା କରୁଛି ତାଲିବାନ

ତାଲିବାନ କବ୍‌ଜାରେ ଆମେରିକୀୟ ବନ୍ଧୁକ ଓ ସାମରିକ ଯାନ

କାବୁଲ: ଆଫଗାନ୍‌ ମାଟିରୁ ଆମେରିକାର ବିଦାୟ ସହିତ ସଂପୂର୍ଣ୍ଣ ବିଜୟ ଘୋଷଣା କରିଥିବା ତାଲିବାନ ଏବେ ଆମେରିକା ଅସ୍ତ୍ରରେ ହିଁ ବଳୀୟାନ ହୋଇଛି। ଆଫଗାନ ଛାଡ଼ିବା ପୂର୍ବରୁ ଆମେରିକା ସେନା ୭୩ଟି ବିମାନ ଅଚଳ କରିଦେବା ସହ ଏବଂ ବିପୁଳ ଅସ୍ତ୍ରଶସ୍ତ୍ର ଧ୍ବଂସ କରିଦେଇଛନ୍ତି। କାବୁଲ ବିମାନବନ୍ଦରରେ ଥିବା ହେଲିକପ୍ଟର ଏବଂ ଯୁଦ୍ଧାସ୍ତ୍ର ସବୁ ଆମେରିକା ଅଚଳ କରିଦେଇଛି। ଏହା ସତ୍ତ୍ବେ ଆଫଗାନ ସେନା ବ୍ୟବହାର କରୁଥିବା ୨୦ରୁ ଅଧିକ ଆମେରିକୀୟ ହେଲିକପ୍‌ଟର ଏବଂ ପ୍ରାୟ ୩ ଲକ୍ଷ ବନ୍ଧୁକ ଏବେ ତାଲିବାନ ହାତରେ ପଡ଼ିଛି। ତାଲିବାନ ଆତଙ୍କବାଦୀମାନେ ଆମେରିକା ଅଚଳ କରିଥିବା ବିମାନଗୁଡ଼ିକର ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ଆମେରିକା ଛାଡ଼ି ଯାଇଥିବା ସମସ୍ତ ବିମାନ ଏବଂ ହାଇ ଟେକ୍‌ ରକେଟ୍‌ ସିଷ୍ଟମ୍‌ ଏବେ ଅଚଳ ରହିଥିବାରୁ ଏହାକୁ ସଚଳ କରିବା ପାଇଁ ତାଲିବାନ ବାଟ ଖୋଜୁଛି। କେନ୍ଦ୍ରୀୟ କମାଣ୍ଡ ମୁଖ୍ୟ ଜେନେରାଲ କେନ୍ନେଥ ମ୍ୟାକେଞ୍ଜି କହିଛନ୍ତି, କାବୁଲର ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ୭୩ଟି ବିମାନକୁ ଆମେରିକା ଅଚଳ କରିଦେଇଛି। ଏହା ସହିତ ଏକ ରକେଟ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିଦିଆଯାଇଛି।

ଆମେରିକା ଆଫଗାନିସ୍ତାନ ଛାଡ଼ିବାପରେ ତାଲିବାନର ସ୍ବତନ୍ତ୍ର ବାହିନୀ ବିମାନବନ୍ଦର‌ରେ ପରେଡ୍‌ କରୁଛନ୍ତି। ବିଶାଳ ବିଜୟର ସଙ୍କେତ ଦେଇ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ ସହ ବିମାନବନ୍ଦର ରନ୍‌ୱେ’ରେ ଏକାଧିକ ଅଧିକାରୀଙ୍କୁ ଦେଖିବାକୁ ମିଳିଛି। ତାଲିବାନର ତଥା କଥିତ ‘ବଦ୍ରି ୩୧୩’ ସ୍ବତନ୍ତ୍ର ବାହିନୀ ତାଲିବାନର ଧଳା ପତାକା ଉଡ଼ାଇ ଫଟୋ ପାଇଁ ପୋଜ୍‌ ଦେଇଛନ୍ତି। ଦିନେ ଆଫଗାନିସ୍ତାନର ସବୁଠୁ ସୁରକ୍ଷିତ ସ୍ଥାନ ତଥା ବିମାନବନ୍ଦରର ଯାତ୍ରୀ ଟର୍ମିନାଲ୍‌କୁ ନଷ୍ଟ କରିଦିଆଯାଇଛି। ତେବେ ଆମେରିକା ଛାଡ଼ି ଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ବିମାନ ଭବିଷ୍ୟତରେ ସମଗ୍ର ବିଶ୍ବ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର