ଖଲିସ୍ତାନୀ ଆକ୍ରମଣକୁ କଡ଼ା ନିନ୍ଦା କଲା ଆମେରିକା

ନୂଆଦିଲ୍ଲୀ: ସାନ୍‌ ଫ୍ରାନସି‌ସ୍କୋରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ଆକ୍ରମଣ ଘଟଣାକୁ ଆମେରିକା କଡ଼ା ନିନ୍ଦା କରିଛି। ହ୍ବାଇଟ୍‌ ହାଉସ ଷ୍ଟ୍ରାଟେଜିକ କମ୍ୟୁନିକେସନ୍‌ର ଜାତୀୟ ସୁରକ୍ଷା ପରିଷଦ ସଂଯୋଜକ ଜନ୍‌ କିର୍ବି କହିଛନ୍ତି, ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ବରଦାସ୍ତ ଯୋଗ୍ୟ ନୁହେଁ। ରାଜ୍ୟ ବିଦେଶ ବିଭାଗର କୂଟନୈତିକ ସୁରକ୍ଷା ସେବା ଉକ୍ତ ଘଟଣାର ସଠିକ୍‌ ତଦନ୍ତ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ କାମ କରୁଛନ୍ତି ବୋଲି ସେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ହ୍ବାଇଟ ହାଉସ ଜାତୀୟ ସୁରକ୍ଷା ଉପଦେଷ୍ଟା ଜେକ୍‌ ସୁଲ୍ଲିଭାନ ମଧ୍ୟ ଉକ୍ତ ଆକ୍ରମଣକୁ କଡ଼ା ନିନ୍ଦା କରି କହିଛନ୍ତି, ଆମେରିକାରେ କାମ କରୁଥିବା କୂଟନୀତିଜ୍ଞଙ୍କ ସୁରକ୍ଷା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ।

ଉକ୍ତ ଆକ୍ରମଣକୁ ନିନ୍ଦା କରି ଆମେରିକା ବିଦେଶ ବିଭାଗ ମଧ୍ୟ ଏକ ବିବୃତି ଜାରି କରିଛି। ସାନ୍‌ ଫ୍ରାନସି‌ସ୍କୋରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣକୁ ଆମେରିକା ନିନ୍ଦା କରୁଛି ଏବଂ କୂଟନୈତିକ ସୁବିଧା ବିରୋଧରେ ହିଂସା ଏକ ଦଣ୍ଡନୀୟ ଅପରାଧ ବୋଲି ଆମେରିକା ବିଦେଶ ବିଭାଗ କହିଛି। ଉଲ୍ଲେଖଯୋଗ୍ୟ, ସାନ ଫ୍ର‌ାନସିସ୍କୋ ସ୍ଥିତ ଭାରତୀୟ ଦୂତାବାସ ଉପରେ ଗତକାଲି ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ। ଦୂତାବାସ ବାହାର କାନ୍ଥରେ ‘ଫ୍ରି ଅମୃତପାଲ୍‌’ ଲେଖାଯାଇଛି।

ସମ୍ବନ୍ଧିତ ଖବର