ଭାରତରେ ଜନ୍‌ସନ୍‌ ଟିକା ଉତ୍ପାଦନ କରିବ ଆମେରିକା!

ୱାସିଂଟନ: ଭାରତରେ ଯୌଥ ଉଦ୍ୟୋଗରେ ଆମେରିକା ଜନସନ୍ ଆଣ୍ଡ୍ ଜନସନ ଟିକା ଉତ୍ପାଦନ କରିବା ଯୋଜନା ରଖିଛି। ଏଥିସହିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଟିକା ଉତ୍ପାଦନ କିଭଳି ବୃଦ୍ଧି ପାଇବ ସେଥିପାଇଁ ସହାୟତା କରିବାକୁ ଆଗଭର ରହିଛି ବୋଲି ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ମଙ୍ଗଳବାର କହିଛନ୍ତି। ଆମେରିକା ଦୂତାବାସରେ ବରିଷ୍ଠ ଅଧିକାରୀ ଡାନିଏଲ ବି ସ୍ମିଥ ଏହା ମଧ୍ୟ କହିଛନ୍ତି ଯେ ବାଲ୍ଟିମୋରରେ ଉତ୍ପାଦନ ହୋଇଥିବା ଆଷ୍ଟ୍ରାଜେନେକା ଟିକାର ଫଳପ୍ରଦତା କେତେ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏଥିସହିତ ଏହି ଟିକାକୁ ବ୍ୟବହାର କିମ୍ବା ରପ୍ତାନି ପାଇଁ ଏଫଡିଏ ମଧ୍ୟ ଅନୁମତି ଦେଇନାହିଁ। ତେଣୁ ଆଗକୁ ଜରୁରୀ ଭିତ୍ତିରେ ଭାରତକୁ ଏହି ଟିକା ଯୋଗାଣ ନେଇ ଆମେରିକାର ଯୋଜନା କ’ଣ ରହିବ ତାହା କହିହେବ ନାହିଁ ବୋଲି ସେ କହିଛନ୍ତି। ବିଶ୍ବକୁ ଟିକା ଯୋଗାଇ ଦେବା ପାଇଁ ଆମେରିକା ଆଗ୍ରହୀ ଅଛି। କିନ୍ତୁ ଟିକା କେତେ ନିରାପଦ ଏବଂ ଫଳପ୍ରଦ ତାହା ନିଶ୍ଚିତ ନହେବା ପର୍ଯ୍ୟନ୍ତ ଏହା ଦିଆଯାଇ ପାରିବ ନାହିଁ।

ଭାରତରେ ମିଳିତଭାବେ ଟିକା ଉତ୍ପାଦନ ସଂପର୍କିତ ଏକ ପ୍ରଶ୍ନରେ ସ୍ମିଥ କହିଛନ୍ତି, ମିଳିତଭାବେ ଟିକା ଉତ୍ପାଦନ କରିବା ପାଇଁ ସମୟ ଲାଗିବ। ତେଣୁ ଟିକା ଉତ୍ପାଦନ କିଭଳି ବୃଦ୍ଧି ପାଇପାରିବ ତାହା ଉପରେ ଆମେରିକା ଚିନ୍ତା କରୁଛି। ତେବେ ଭାରତରେ କିଭଳି ଜନସନ ଆଣ୍ଡ ଜନସନ ଟିକା ଉତ୍ପାଦନ ପାଇଁ ନିବେଶ କରି ଆମେରିକା ଏଥିରେ ସହାୟକ ହୋଇପାରିବ ସେହି କାର୍ଯ୍ୟ ଡେଭଲପମେଣ୍ଟ୍ ଫାଇନାନ୍ସ କୋଅପରେସନ ଅନୁଧ୍ୟାନ ଚଳାଇଛି ବୋଲି ସେ କହିଛନ୍ତି। ତେବେ ଘରୋଇ ସ୍ତରରେ ଫାର୍ମା କମ୍ପାନିଙ୍କ ମଧ୍ୟରେ ଏ ନେଇ କିଛି କଥାବାର୍ତ୍ତା ଚାଲିଥିବା ସୂଚନା ତାଙ୍କ ନିକଟରେ ରହିଛି ବୋଲି ସେ କହିଛନ୍ତି। ତେବେ ଏହାକୁ ଉତ୍ସାହିତ କରିବା ପାଇଁ ସରକାରୀଭାବେ ଯାହା କରାଯାଇ ପାରିବ ତାହା କରିବାକୁ ତାଙ୍କ ଦେଶ ପ୍ରସ୍ତୁତ ରହିଛି। ଅନ୍ତର୍ଜାତୀୟ ସ୍ତରରେ ଟିକା ନିର୍ମାଣ କ୍ଷେତ୍ରରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ସିରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଅନ୍ୟ ‌କିଛି ସ୍ଥାନରେ ଟିକା ଉତ୍ପାଦନ ବଢ଼ାଇବା ପାଇଁ କି ପ୍ରକାର ସହାୟତା ଏବଂ କଞ୍ଚାମାଲ ଆମେ ଯୋଗାଇ ପାରିବୁ ସେ ନେଇ ଆମେ ଯୋଗାଯୋଗରେ ଅଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର