କୋଭିଡ୍ ମୁକାବିଲାରେ ୟୁପି ସରକାର ଅଭୂତପୂର୍ବ ସଫଳ: ମୋଦୀ

ନୂଆଦିଲ୍ଲୀ: କୋଭିଡ୍ ମୁକାବିଲାରେ ଉତ୍ତରପ୍ରଦେଶ ସରକାରଙ୍କ ଉଲ୍ଲେଖନୀୟ ଉଦ୍ୟମକୁ ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ହିଁ ମହାମାରୀ କରୋନାଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଉତ୍ତରପ୍ରଦେଶର ଶକ୍ତିସାମର୍ଥ୍ୟକୁ ବିଶ୍ବ ସମୁଦାୟ ଆଗରେ ପରିପ୍ରକାଶ କରିପାରିଛି ବୋଲି ମୋଦୀ କହିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉତ୍ତରପ୍ରଦେଶର କୋଟିଏ ୨୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନର ଶୁଭାରମ୍ଭ ଅବସରରେ ମୋଦୀ ଏପରି ଟିପ୍ପଣୀ କରିଛନ୍ତି।

ଯୋଗୀଙ୍କ ନେତୃତ୍ବରେ ଉତ୍ତରପ୍ରଦେଶ ଯେପରି କୋଭିଡ୍ ପରି ଦୁର୍ବିପାକକୁ ଏକ ସୁଯୋଗରେ ପରିବର୍ତ୍ତନ କରି ନିଜର ସମସ୍ତ ସାମର୍ଥ୍ୟ ଖଟେଇ ଦେଇଛି, ଅନ୍ୟ ରାଜ୍ୟମାନେ ଏହି ଯୋଜନାରୁ କିଛି ଶିଖିବା ସହ ଏହା ଦ୍ବାରା ଅନୁପ୍ରାଣିତ ମଧ୍ୟ ହେବା ଦରକାର। ସେହିପରି ଇଂଲଣ୍ଡ, ଫ୍ରାନ୍ସ, ଇଟାଲି ଓ ଫ୍ରାନ୍ସ ପରି ଭୀଷଣ ଭାବେ କୋଭିଡ୍ କ୍ଷତିଗ୍ରସ୍ତ ଦେଶମାନଙ୍କର ସମ୍ମିଳିତ ଲୋକସଂଖ୍ୟା ଉତ୍ତରପ୍ରଦେଶ ସହ ପ୍ରାୟ ସମାନ ହୋଇଥିବା ବେଳେ ଉତ୍ତରପ୍ରଦେଶ ଯେପରି କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେଲା, ତାହା ଅଭୂତପୂର୍ବ ଓ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମୋଦୀ କହିଛନ୍ତି। ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ପାଖାପାଖି ୩୦ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଯୋଗୀ ସରକାର ଯେପରି ନିଜ ମାଟିକୁ ଫେରାଇ ଆଣିବା ସହ ପରିସ୍ଥିତିର ସଫଳ ମୁକାବିଲା କଲେ, ଅତି କମ୍‌ରେ ୮୫ ହଜାର ଜୀବନ ରକ୍ଷା ହୋଇଗଲା ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର