ଆଗ୍ରା: ଜମ୍ମୁ କାଶ୍ମୀରର ରାଜୌରୀରେ ଆତଙ୍କବାଦୀଙ୍କ ସହ ମୁକାବିଲା କରି ସହିଦ ହୋଇଥିବା ଆଗ୍ରା ବାସିନ୍ଦା କ୍ୟାପ୍‌ଟେନ ଶୁଭମ୍‌ ଗୁପ୍ତାଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାର ୫୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। କ୍ୟାପ୍‌ଟେନ ଗୁପ୍ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ଶୁଭମ୍‌ଙ୍କ ଘରେ ଶୋକ ଜଣାଇବାକୁ ବିଭିନ୍ନ ଦଳର ଜନପ୍ରତିନିଧିଙ୍କ ଭିଡ଼ ଲାଗିଥିବା ବେଳେ ଆଜି ୟୁପିର କ୍ୟାବିନେଟ୍‌ ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ଚେକ୍‌ ପ୍ରଦାନ କରିବାକୁ ପହଞ୍ଚିଥିଲେ।

Advertisment

ମନ୍ତ୍ରୀଙ୍କୁ ଦେଖିବା ମାତ୍ରେ ସହିଦ ଶୁଭମ୍‌ଙ୍କ ମା’ ‘ଏଠାରେ କୌଣସି ପ୍ରଦର୍ଶନୀ କରନାହିଁ’ ବୋଲି ବାରମ୍ବାର କହିଥିଲେ। କିନ୍ତୁ ମନ୍ତ୍ରୀ ଏହାକୁ ଭୃକ୍ଷେପ ନକରି ଚେକ୍‌ ପ୍ରଦାନ କରିବା ସହ ଫଟୋ ଉଠାଇବାରେ ବ୍ୟସ୍ତ ରହିଥିଲେ। ଅନ୍ୟପକ୍ଷରେ ପୁତ୍ର ଶୋକରେ ଅଧୀର ମା’ ଏହି ଚେକ୍‌କୁ ହାତ ଲଗାଇନଥିଲେ ଏବଂ ମୋ ପୁଅକୁ ଫେରାଇ ଆଣ ବୋଲି କହୁଥିଲେ। ସହିଦ ମା’ଙ୍କ ଏହି ଶବ୍ଦ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଲୁହ ଆଣିଥିଲା। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ସମ୍ବେଦନହୀନ ଆଚରଣକୁ ବିରୋଧୀ ଦଳମାନେ କଡ଼ା ସମାଲୋଚନା କରିଛନ୍ତି। ଏହା ବିଜେପି ନେତାଙ୍କ ଲଜ୍ଜାହୀନ ଆଚରଣ ବୋଲି ଶିବସେନା ଓ ଆପ୍‌ ନେତାମାନେ କହିଛନ୍ତି।